Odiapua.com

ଚାଷୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ- ସାଂସଦ ସପ୍ତଗିରୀ ଉଲ୍ଲାକା, ମରୁଡ଼ି ଅଞ୍ଚଳ ଘୋଷଣା, ମେଡିକାଲ କଲେଜ ସ୍ଥାପନ, ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ରଖିଲା କଂଗ୍ରେସ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ବର୍ଷାଭାବ ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଚାଷ ଜମି ସବୁ ଶୁଖି ଗଲାଣି । ବର୍ଷା ହେଲେ ମଧ୍ୟ ଚଳିତ ବର୍ଷ ମରୁଡ଼ି ନିଶ୍ଚିତ । ଠିକ ଏତିକି ବେଳେ, ସାରର ବ୍ୟାପକ କଳାବାଜାରୀ ଚାଲିଛି । କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ସାର ଯୋଗାଇ ଦେଇ ନାହାନ୍ତି । ଯେତିକି ସାର ଅଛି ତାହାର କଳାବଜାରୀ ଚାଲିଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବା ଉଚିତ । ତେଣୁ ତୁରନ୍ତ ଭଦ୍ରକ ଜିଲ୍ଲାକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଉ ବୋଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଂପାଦକ ତଥା କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଉଲ୍ଲାକା ଆହୁରି ମଧ୍ୟ କହିଛନ୍ତିଯେ ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ସ୍ଥାପନର ଜରୁରୀ ଆବଶ୍ୟକତା ରହିଛି । କିଛି ମାସ ପୂର୍ବେ ସେ ସଂସଦରେ ଏଥି ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଖୁବ ଶୀଘ୍ର ଜିଲ୍ଲା କଂଗ୍ରେସ କମିଟିର ଏକ ୧୦ଜଣିଆ ପ୍ରତିଧି ଦଳ ତାଙ୍କ ନେତୃତ୍ୱରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଶ୍ରୀ ଉଲ୍ଲାକା ସୂଚନା ଦେଇଥିଲେ ।

ଏଥିରେ ସଭାପତିତ୍ୱ କରୁଥିବା ଜିଲ୍ଲା ସଭାପତି ଶ୍ରୀ ଦାସ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ମତ ରଖିବା ସହ ବ୍ଲକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବେ ଶାସକ ବିଜେଡି ଦଳର କାର୍ଯ୍ୟାଳୟ ପାଲଟିଛି ବୋଲି କହିଥିଲେ । ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି ଭଦ୍ରକ ମହାବିଦ୍ୟାଳୟକୁ ତୁରନ୍ତ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବାକୁ ଦାବି କରିଥିଲେ । ହୀରକ ଜୟନ୍ତୀ ପାଳନ ପୂର୍ବରୁ ଯଦି ବିଶ୍ୱବିଦ୍ୟାଳୟର ମାନ୍ୟତ ନ ମିଳେ, ତେବେ ଉକ୍ତ ଉତ୍ସବକୁ କୌଣସି କେନ୍ଦ୍ର କିମ୍ବା ରାଜ୍ୟ ମନ୍ତ୍ରୀଙ୍କୁ ଆସିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ସେହିପରି ଜିଲ୍ଲାରେ ଦୁର୍ନୀତି ଚରମ ସୀମରେ ପହଞ୍ଚଛି । ଉନ୍ନୟନ ନାମରେ ଲୁଟ ଚାଲିଛି । ସୌନ୍ଦର୍ଯ୍ୟବଦ୍ଧନ ପାଇଁ ଲଗାଯାଇଥିବା ୬ଶହ ଟଙ୍କାର ପ୍ରତି ଗଛକୁ ୩ହଜାର ଟଙ୍କା ବିଲ କରାଯାଇଥିବା ଓ ୫୦ଟଙ୍କାର ଲାଇଟକୁ ୮ଶହ ଟଙ୍କା ବିଲ କରାଯାଇଥିବା କହିଥିଲେ । ସେହିପରି ଆଇ ଲଭ ଭଦ୍ରକ ସେଲଫି ପଏଣ୍ଟରେ କେତେ ଖର୍ଚ୍ଚ ହୋଇଛି ପୌର ନିର୍ବାହୀ ଅଧିକାରୀ କାହିଁକି ଉତ୍ତର ରଖୁ ନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଏହା କିପ୍ରକାର ସ୍ୱଛତା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟବେକ୍ଷକ ଆକବର ଅଲ୍ଲୀ, ଚାନ୍ଦବାଲି ବିଧାନସଭାସ୍ତରୀୟ ନେତା ଦିଗମ୍ବର ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ ।