Odiapua.com

ଚାଷୀଙ୍କ ବଳରେ ବି.ଜେ. ପି.ର ଶକ୍ତି ପ୍ରଦର୍ଶନ: ଛତ୍ରପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବ୍ରହ୍ମପୁର: ୧୦/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଚାଷୀଙ୍କ ସମସ୍ୟା ଓ ମଣ୍ଡି କାର୍ଯ୍ୟକାରୀ କରିବା ଦିଗରେ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଶାଖା ପକ୍ଷରୁ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ସମାବେଶ କରାଯାଇଛି। ଏହି ସମାବେଶରେ ବି.ଜେ.ପି.ରାଜ୍ୟ ଶାଖା ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ବିଭୁତି ଭୂଷଣ ଜେନା, ଜିଲ୍ଲା ସଭାପତି ଶ୍ରୀ କାହ୍ନୁ ଚରଣ ପତି ପ୍ରମୁଖ ଉଦବୋଧନ ଦେଇ ଓଡିଶା ସରକାର ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ଓ ଧାନର ଅଭାବୀ ବିକ୍ରି ରୋକିବା ଦିଗରେ ସମ୍ପୂର୍ଣ୍ଣ ଉଦାସୀନ ରହିଥିବା ଅଭିଯୋଗ କରିଥିଲେ। ମୁଖ୍ୟତଃ ୯ ଦଫା ଦାବି ଉପରେ ସେମାନେ ଆଲୋଚନା କରି ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ।

ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଚାଷୀ ଓ ଦଳୀୟ କର୍ମୀ, ସମର୍ଥକମାନେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବି ପତ୍ରରେ ତୁରନ୍ତ ଉଚିତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣିବା, ଚକଡ଼ା ପୋକ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଦେବା, ଶୀତଳ ଭଣ୍ଡାର ସ୍ଥାପନ କରିବା, ରାସନ କାର୍ଡ ପାଇବାରୁ ବଞ୍ଚିତ ଲୋକଙ୍କୁ ତୁରନ୍ତ କାର୍ଡ ଯୋଗାଇବା, ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ସହ ଡାକ୍ତର, କର୍ମଚାରୀ ନିଯୁକ୍ତ କରିବା ପ୍ରଭୃତି ଦାବି କରାଯାଇଛି।