Odiapua.com

ଚାଷୀଙ୍କ କାଳିଆ ଟଙ୍କାକୁ କେହି ବନ୍ଦ କରିଦେଇ ପାରିବେନି:ମୁଖ୍ୟମନ୍ତ୍ରୀ

ନୟାଗଡ଼, ୧୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କୃଷି ଓ କୃଷକଙ୍କ ପାଇଁ ମୋ ସରକାର ଅହରହ ଉଦ୍ୟମ କରି ଆସିଛି। ଚାଷୀଙ୍କ ସୁବିଧା ପାଇଁ କାଳିଆ ଯୋଜନା ପ୍ରଣୟନ କରାଯାଇଛି। କେହି ଚାହିଁଲେବି ଚାଷୀଙ୍କ କାଳିଆ ଟଙ୍କାକୁ କେହି ବନ୍ଦ କରିଦେଇ ପାରିବେନି। ବିଜେପି ବନ୍ଦ କରିଛି ଚାଷୀଙ୍କ କାଳିଆ ଟଙ୍କା। କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ବାରମ୍ବାର ଅବହେଳା କରିଆସିଛି। ତଥାପି ଓଡ଼ିଶା ସରକାର କେବେ ଭାଙ୍ଗି ପଡ଼ିନି। ବରଂ ନିଜସ୍ୱ ଉଦ୍ୟମରେ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ସବୁ ସୁବିଧା ସୁଯୋଗ ଯୋଗାଇଦେବାରେ ଯଥାସାଧ୍ୟ ଉଦ୍ୟମ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଣପୁର ବିଜେଡିର ନିର୍ବାଚନୀ ସଭାରେ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତିଯେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଡବଲ ଇଂଜିନର ସରକାର ଭାଙ୍ଗିବାକୁ ଲୋକଙ୍କ ପାଖରେ ଦାବି କରୁଛି। ୫ଟି ରାଜ୍ୟରେ ଯଦି ବିଜେପିର ଡବଲ ଇଞ୍ଜିନ ଥାଇ ବିକାଶ କରୁଥିଲା ତା’ହେଲେ ଲାଇନଚ୍ୟୁତ କାହିଁକି ହେଲା ବୋଳି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନିକଟରେ ଭାଜପା ଶାସିତ ରାଜ୍ୟରେ ଡବଲ ଇଞ୍ଜିନ୍ ର ସରକାର ନିର୍ବାଚନରେ ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷାତ ହୋଇଥିବାବେଳେ ମେ ୨୩ରେ ଜନସାଧାରଣ ବିଜେପିକୁ ପୁଣି ଉଚିତ ଜବାବ ଦେବେ ବୋଲି ରଣପୁର ନିର୍ବାଚନୀ ସଭାରେ ଶୁଣାଇଛନ୍ତି। ତେଣୁ ବିଜେପି କଥାରେ ବିଶ୍ୱାସ ନରଖି ବିଜେଡି ସରକାର ଗଠନର ପ୍ରଥମ ଦିନରେହିଁ ସବୁ ହିତାଧିକାରୀ ସେମାନଙ୍କର କାଳିଆ ଟଙ୍କା ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଓ ସଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସଦ ପ୍ରାର୍ଥୀ ପିନାକୀ ମିଶ୍ର ଓ ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ବିଜେଡି ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ଉପରେ ବକ୍ତବ୍ୟ ରଖିଥିଲେ। ଶ୍ରୀପ୍ରଧାନ କହିଥିଲେଯେ ଓଡ଼ିଶାରେ ପ୍ରଗତୀ ଓ ବିକାଶ ପାଇଁ ବିଜେଡି ସର୍ବଦା କର୍ମ ତତ୍ପର ହୋଇଆସିଛି। ଯାହା କୁହେ ତାହା କାମରେ ସଦାସର୍ବଦା ଲଗାଇଛି କହିବା ସହିତ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ହେଲେ ତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ସଂସଦ ପିନାକୀ ମିଶ୍ର ନିଜକୁ ଜନସାଧାରଣଙ୍କ ସେବକ ବୋଲି କହିବା ସହିତ ସେ ତାଙ୍କ ସାଥୀରେ ଅଛନ୍ତି ଓ ରହିବେ ବୋଲି କହିଥିଲେ।