Odiapua.com

ଚାଷୀଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିରୋଧୀ ଦଳ – ଧର୍ମେନ୍ଦ୍ର ପ୍ରଧାନ

କୃଷି ବିଲ୍‌କୁ ସଂସଦରେ ବିରୋଧୀଙ୍କ ବିରୋଧ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

– କଂଗ୍ରେସ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ସଂସ୍କାରକୁ ବିରୋଧ କରିଆସୁଛି
– ସଂସଦରେ କୃଷି ବିଲ ପାରିତ ଦ୍ୱାରା ବିରୋଧୀଙ୍କ ଚାଷୀ ବିରୋଧୀ ଅସଲ ମୁଖା ପଦାରେ ପଡ଼ିଛି
– କୃଷି ବିଲ୍ ଉପରେ ଅପପ୍ରଚାର ସତ୍ତ୍ୱେ ୧୩୦ କୋଟି ଜନତା ମିଥ୍ୟାପ୍ରଚାରକାରୀଙ୍କ ମୁଖା ଖୋଲିବେ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୧ (ଓଡ଼ିଆ ପୁଅ) – ରାଜନୈତିକ ଦଳର ନେତାମାନେ ବିଶେଷ ଭାବରେ ଯେଉଁମାନେ ଚାଷୀ ମାନଙ୍କ ସମସ୍ୟା କଥା ଉଠାଇଥିଲେ ସେମାନେ ଆବଶ୍ୟକ ସମୟରେ ଏହାକୁ ଅନ୍ୟ ଦିଗରେ ଭାବୁଛନ୍ତି। ବିରୋଧୀ ଦଳମାନେ କୃଷକଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ଦୁଃଖର ବିଷୟ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ ରାଜ୍ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ କରି ଦେଶବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁଛନ୍ତି। ଭାରତୀୟ କଂଗ୍ରେସ ୨୦୧୪ ପର ଠାରୁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଭଲ ପଦକ୍ଷେପ ଗୁଡିକୁ ବିରୋଧ କରିଆସୁଛି ଏବଂ ବିରୋଧ କରିବାର ଆଗରେ ରହିଛି କଂଗ୍ରେସ। ନିଜ ପ୍ରତିଶ୍ରୁତିକୁ କଂଗ୍ରେସ ପୂରଣ ନକରି ନିଜ ଦାୟିତ୍ୱରୁ ମଧ୍ୟ ଓହରୁଛି। ସଂସଦରେ କୃଷି ବିଲ୍ ପାରିତ ହେବା ଦ୍ୱାରା ବିରୋଧୀଙ୍କ ଚାଷୀମାନଙ୍କ ବିରୋଧୀ ଥିବା ଅସଲ ମୁଖା ପଦାରେ ପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆମ କୃଷକମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବା ସହ ସଶକ୍ତ କରିବ। ବିରୋଧୀ ଦଳର ଅନେକ ଚାଷୀ ମାନଙ୍କ ନେତୃତ୍ୱ ନେଉଥିବା ନେତାଙ୍କ ଦ୍ୱାରା କୃଷି ବିଲ୍ ଉପରେ ଅପପ୍ରଚାର ସତ୍ତ୍ୱେ ୧୩୦ କୋଟି ଜନତା ପୁଣି ଥରେ ମିଥ୍ୟାପ୍ରଚାରକାରୀଙ୍କ ମୁଖା ଖୋଲିବେ ବୋଲି ସେ କହିଛନ୍ତି।