Odiapua.com

ଚାଷୀଙ୍କ ଅଜାଣତରେ ଶହ ଶହ କ୍ୱିଂଟାଲ ଧାନ ସରକାରୀ ଦରରେ କିଣାବିକା ଅଭିଯୋଗ ସମବାୟ ସମିତିରେ ଜାଲିଆତି ଅଭିଯୋଗ

କେନ୍ଦ୍ରାପଡା, ୧୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : – ଜଣେ ଜମି ମାଲିକଙ୍କ ଅଗୋଚରରେ ତାଙ୍କ ଜମିର ରେକର୍ଡ ବ୍ୟବହାର କରାଯାଇ ଫୁଡ ଓଡିଶା ପୋର୍ଟାଲ ୱେବସାଇଟରେ ଲଗିନ କରାଯାଇ ସରକାରୀ ଧାର୍ଯ୍ୟ ଦରରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ବିକ୍ରୀ କରାଯାଉଥିବା ଅଭିଯୋଗ ହୋଇଛି। କେତେକ ଧାନ ବ୍ୟବସାୟୀ ସଂପୃକ୍ତ ସମିତିର ସମ୍ପାଦକଙ୍କ ସହାୟତାରେ ଏପରି କାରବାର ଚଳାଇ ଆସୁଥିବା ଅଭିଯୋଗ ହୋଇଛି। ପୂର୍ବ ବର୍ଷ ଭଳି ଚଳିତ ୨୦୨୦-୨୦୨୧ ବର୍ଷ ପାଇଁ ଏଭଳି ଭୁତ ଚାଷୀମାନଙ୍କ ନାମ ବ୍ୟବହାର କରାଯାଇ ଜାଲିଆତି କାରବାର କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ବେଆଇନ କାରବାର କରି ସଂପୃକ୍ତ ଜାଲିଆତି କାରବାରର ସୁତ୍ରଧରମାନେ କୋଟିପତି ବନୁଥିବା ମଧ୍ୟ ଅଭିଯୋଗ ହେଉଛି। ସରକାରଙ୍କ ନିର୍ଦେଶ ଅନୁଯାଇ ଧାନଚାଷୀମାନେ ଆଗାମୀ ଖରିଫ ଋତୁରେ ଧାନ ବିକ୍ରୟ କରିବାକୁ ସେମାନଙ୍କ ନାମ, ଜମିର ବୀବରଣୀ ଓ ଠିକଣା ପ୍ରଦାନ କରି ଫୁଡ ଓଡିଶା ପୋର୍ଟାଲରେ ଅନଲାଇନ ପଞ୍ଜିକରଣ ଆରମ୍ଭ କରିଥିବା ଦେଖାଯାଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜମି ମାଲିକଙ୍କ ଅଜାଣତରେ ଅନ୍ୟ ଚାଷୀଙ୍କ ନାମରେ ଜାଲ ଜମି ପ୍ରଦାନ କରି ପଞ୍ଜିକରଣ କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦର ସମବାୟ ସମିତିରେ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଏହି ସମିତିର ଫାର୍ମର କୋଡ ନମ୍ବର – ଏଫ୧୭୦୭୦୦୦୩୭୯୭ରେ ବିଲିକଣା ପଂଚାୟତର ସାନଗରା ଗ୍ରାମର ଧାନଚାଷୀ ସୁମିତ୍ରା ସ୍ୱାଇଁଙ୍କ ନାମ ପଞ୍ଜିକୃତ ହୋଇଛି। ସେହି ମହିଳା ଚାଷୀଜଣକ ଖାତା ନମ୍ବର ୭୪ଓ ପ୍ଲଟ ନମ୍ବର ୧୭୦ରେ ଅଇନିପଡା ଗ୍ରାମର ଦୈତାରୀ ସିଂହଙ୍କ ଜମିକୁ ନିଜ ନାମରେ ପଞ୍ଜିକରଣ କରିଛନ୍ତି। ସାନଗରା ଗ୍ରାମ ଅଇନିପଡା ଗ୍ରାମ ଠାରୁ ପ୍ରାୟ ୧୫କିଲୋମିଟର ଦ୍ୱରତା ହେବ। ସେହି ସାନଗରା ଗ୍ରାମର ଶିବ ପ୍ରସାଦ ସ୍ୱାଇଁ ନମ୍ବର -ଏଫ୧୭୦୭୦୦୦୪୧୦୬ରେ ପଞ୍ଜିକରଣ କରିଥିବା ବେଳେ ତାଙ୍କ ନାମରେ ଗୁଣୁପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ଖାତା ନମ୍ବର – ୧୯ ଓ ପ୍ଲଟ ନମ୍ବର ୭୨୮ ର ଜମି ଥିବା ପଞ୍ଜିକୃତ ହୋଇଛି। ଏହି ଜମି ଗଙ୍ଗାରାମପୁର ପଂଚାୟତର କଇଁକୂଳା ଗ୍ରାମର ଅନାଦି ସେଠୀଙ୍କ ନାମରେ ରହିଛି। ସେହିଭଳି ଫାର୍ମର କୋଡ ନମ୍ବର – ଏଫ ୧୭୦୭୦୦୦୪୨୪୨ରେ ପଞ୍ଜିକୃତ ହୋଇଥିବା ସାନଗରା ଗ୍ରାମର ଶାନ୍ତିଲତା ସିଂହ ଧାନବିକ୍ରୀ କରିବାକୁ ପଞ୍ଜିକରଣ କରିଥିବା ବେଳେ ତାଙ୍କ ଜମି ରହିଛି ପେଣ୍ଠପାଳ ଗ୍ରାମର ଖାତା ନମ୍ବର -୫୭ ଓ ପ୍ଲଟ ନମ୍ବର ୧୯୨୯ ଯାହାର ମାଲିକ ହେଉଛନ୍ତି ଅଶୋକ ବିଶ୍ୱାଳ, ଅରୂପ ବିଶ୍ୱାଳ ଓ ଅରୁଣ ବିଶ୍ୱାଳ। ସାନଗରା ଗ୍ରାମ ପେଣ୍ଠପାଳ ଗ୍ରାମ ଠାରୁ ପ୍ରାୟ ୩୫କିଲୋମିଟର ଦୂର ହେବ। ଏଭଳି ଭାବରେ ଶ୍ୟାମସୁନ୍ଦରପୁର ସମବାୟ ସମିତି ରେ ୨୫୦ରୁ ଅଧିକ ଜାଲ ଧାନଚାଷୀ ପଞ୍ଜିକୃତ ହୋଇଥିବା ମୂଳୁଗାଇଁ ଗ୍ରାମର ସାମାଜିକ କର୍ମୀ ଜ୍ୟୋତିପ୍ରସାଦ ପ୍ରଧାନ ଅଭିଯୋଗ କରିଛନ୍ତି। ଏଭଳି କେତେକ ଚାଷୀଙ୍କ ନାମରେ ଅନାବାଦୀ, ଗୋଚର, ସ୍ମଶାନ ଜମିକୁ ମଧ୍ୟ ସେମାନଙ୍କ ଜମି ବୋଲି ଦର୍ଶାଯାଇ ପଞ୍ଜିକରଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଜାଲିଆତି କାରବାରରେ କେତେକ ଅସାଧୁ ବ୍ୟବସାୟୀ ସମିତିର ସମ୍ପାଦକ, ସମବାୟ ସମିତି ସମୁହର ଉପନିବନ୍ଧକଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ସଂପୃକ୍ତ ରହୁଥିବା ଅଭିଯୋଗ ହୋଇଛି। ଏହି ଅସାଧୁ ଧାନ ବ୍ୟବସାୟୀମାନେ ଗ୍ରାମାଚଂଳରୁ ସରକାରୀ ଧାର୍ଯ୍ୟ ଦର ଠାରୁ ବହୁ କମ ଦରରେ ଧାନକିଣି ଏହିସବୁ ଜାଲ ପଞ୍ଜିକୃତଧାରୀ ଚାଷୀଙ୍କ ଆଇଡିରେ ସରକାରୀ ଦରରେ ଧାନବିକ୍ରୀ କରି ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ରୋଜକାର କରୁଥିବା ବେଳେ ଗ୍ରାମାଚଂଳର ଗରୀବ ଚାଷୀମାନେ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି। କେବଳ ଏହି ସମିତିରେ ନୁହେଁ ଜିଲ୍ଲାର ଅନେକ ସମବାୟ ସମିତିରେ ଏଭଳି ବେଆଇନ ଓ ଜାଲିଆତି କାରବାର ଚାଲିଥିବା ମଧ୍ୟ ଅଭିଯୋଗ ହେଉଛି। ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହି ଘଟଣାର ବିଧିବଦ୍ଧ ତଦନ୍ତ କଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସିପାରିବ ବୋଲି ସାମାଜିକ କର୍ମୀ ଶ୍ରୀ ପ୍ରଧାନ କହିଛନ୍ତି।