Odiapua.com

ଚାଷୀଙ୍କୁ ସାର ଯୋଗାଣ ଦାବିରେ ଓଡ଼ିଶା କୃଷକସଭାର ଧାରଣା

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଦରରେ ଚାଷୀଙ୍କୁ ସାର ଯୋଗାଇଦେବା, ସାରର ବ୍ୟାପକ କଳାବଜାରୀ ବନ୍ଦ କରିବା, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସଂପୂର୍ଣ୍ଣ ଋଣ ଛାଡ କରାଯିବା, ବିନା ସୁଧରେ ଚାଷୀ ଓ ଭାଗଚାଷୀଙ୍କୁ ସମବାୟ ସମିତିରୁ ଋଣ ଯୋଗାଣ, ଇଚ୍ଛୁକ ଚାଷୀ ଓ ଭାଗଚାଷୀଙ୍କୁ ସମବାୟ ସମିତିରେ ସଭ୍ୟଭୁକ୍ତ କରାଯିବା ଦାବି ନେଇ ଓଡ଼ିଶା କୃଷକସଭା ପକ୍ଷରୁ ଆଜି ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ଯଶିପୁର ସେବା ସମବାୟ ସମିତି ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେବା ସମବାୟ ସଂପାଦକ ସାର ବ୍ୟବସାୟୀମାନଙ୍କ କବଜାରେ ରହି ବର୍ଷ ତମାମ୍ ଚାଷୀଙ୍କୁ ସାର ନଯୋଗାଇବାରୁ ଗତ ୩ ଦିନ ଧରି ସଂଗଠନ ପକ୍ଷରୁ ଉପରିସ୍ଥ ଅଧିକାରୀମାନଙ୍କୁ ଭେଟି ଦାବି ଜଣାଇବା ପରେ ତାହା ପୂରଣ ନହେବାରୁ ଆଜି ଏଭଳି ଚରମ ନିଷ୍ପତ୍ତି ନିଆଯାଇଛି । ଏଥି ଉପଲକ୍ଷେ ସଂଗଠନ ପକ୍ଷରୁ ଏକ ଲାଲ ଝଣ୍ଡାର ପଟୁଆର ଯଶିପୁର ବଜାରରୁ ବାହାରି ସ୍ଥାନୀୟ ସେବା ସମବାୟ ସମିତିରେ ପହଞ୍ôଚଥିଲା । ପରେ ଧାରଣା ସ୍ଥଳରେ ସଂଗଠନର ସଭ୍ୟମାନେ ଦୀର୍ଘ ସମୟ ଧରି ଧାରଣା ଦେବା ପରେ ସମବାୟ ସମିତିର ସଂପାଦକ ଚାଷୀମାନଙ୍କୁ ବାଧ୍ୟହୋଇ ତରବରିଆ ଭାବେ କିଛି ସାର ଆଣି ଧାରଣା ସ୍ଥଳରେ ବଣ୍ଟନ କରିଥିଲେ ଓ ସମସ୍ତ ଦାବୀ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ପ୍ରକାଶ ଥାଉକି ଯଶିପୁର ସେବା ସମବାୟ ସମିତିରେ ଦୀର୍ଘଦିନ ଧରି କୌଣସି ସରକାରୀ ଅଡିଟ୍ ନହେବାରୁ ସମବାୟ ସମିତି ସଂପାଦକ ତାଙ୍କ ମନମୁଖୀ କାର୍ଯ୍ୟ ଚଳାଇ ରଖିଥିବାର ଅଭିଯୋଗ ହୋଇଛି । ଏପରିକି ଶାସକ ଦଳ ଚାପରେ ପଡି ସେ ନୂତନ ଚାଷୀଙ୍କୁ ସମିତିରେ ସଭ୍ୟଭୁକ୍ତ କରୁନଥିଲେ ।

ମେସିନ୍ ଖରାପ ଥିବାର କଥା କହି ଦୀର୍ଘ ଏକବର୍ଷ ଧରି ଚାଷୀଙ୍କୁ ସାର ଯୋଗାଉନଥିଲେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆସିଥିବା ଅର୍ଥରୁ ବଳସାହି ଗ୍ରାମର ପ୍ରାୟ ଏକହଜାର ଚାଷୀଙ୍କୁ ବାଦ୍ ଦେଇଥିଲେ । କମ୍ପ୍ୟୁଟର ପୋର୍ଟାଲର ଦୋଷ ବୋଲି କହି ସାଧାରଣ ଲୋକଙ୍କୁ ଭୁତାଇ ଆସୁଥିଲେ । ମାତ୍ର ଆଜି ଆନ୍ଦୋଳନ ପରେ ଶେଷରେ ସେ ଦାବି ଗୁଡିକୁ ମାନିନେବାକୁ ବାଧ୍ୟ ହୋଇଛନ୍ତି । ଆଜିର ଏହି ଆନ୍ଦୋଳନରେ ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା ସଂପାଦକ ପ୍ରଫେସର ପ୍ରଭାସ ମହାପାତ୍ର, ଜିଲା ଯୁଗ୍ମ ସଂପାଦକ ବିକାଶ ନାଥ, ସିଟୁ ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ବ୍ଲକ୍ ସଂପାଦକ ଅଭିରାମ ବଳ, ଯଶିପୁର ଶାଖା ସଂପାଦକ ଗୌରାଙ୍ଗ ଯେନା, ଶିକ୍ଷାବିତ୍ ମହେଶ୍ୱର ମଲ୍ଲିକ, ଶ୍ରମିକ ନେତା ମଳୟ ଭୋଇ, ଚାଷୀନେତା ନବଘନ ସେନାପତି, ଅମୂଲ୍ୟ ନାୟକ, ଦିବାକର ସେନାପତି, ଜଗନ୍ନାଥ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଧାରଣାର ଖବର ପାଇ ଯଶିପୁର ସରପଞ୍ଚ ଲକ୍ଷ୍ମଣ ଜେନା ଧାରଣାସ୍ଥଳରେ ପହଞ୍ôଚ ଚାଷୀଙ୍କ ଦାବି ଯଥାର୍ଥ ବୋଲି କହିବା ସହିତ ଅବିଳମ୍ବେ ସାର ବାଣ୍ଟିବାକୁ ସୋସାଇଟିର ସଂପାଦକଙ୍କୁ ମଧ୍ୟ ତାଗିଦ୍ କରିଥିଲେ । ସାର ବଣ୍ଟନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।