Odiapua.com

ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଏତଲା କପି ଦେଉନି ପୋଲିସ, ଅଭିଯୁକ୍ତକୁ ଖସାଇବା ପାଇଁ ମସୁଧା

କେନ୍ଦ୍ରାପଡ଼ା, ୩୧ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜନୈକ ଚାଷୀଙ୍କୁ ସାବଳରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତକୁ ଖସାଇବା ପାଇଁ ଯୋଜନା ଚାଲିଛି। କାରଣ ଆକ୍ରମଣରେ ଶିକାର ପରିବାରକୁ ଏତଲା କପି ଦେଉନି ପୋଲିସ। ଅଭିଯୁକ୍ତକୁ ଖସାଇବା ପାଇଁ ଏପରି ଯୋଜନା କରାଯାଉଥିବା ପିଡିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। କାରଣ ଏତଲା କପି ଦେଲେ କେଉଁ ଦଫା ଲାଗିଛି ତାହା ଜଣାପଡିଯିବ। ଏହାଦ୍ୱାରା ପୋଲିସର ଅସଲ ମୁଖା ଖୋଲିଯିବ। ତେଣୁ ଏତଲା କପିକୁ ଚାପି ଦେଇ ଅଭିଯୁକ୍ତକୁ କୋହଳ ଦଫା ଲଗାଇ ୪୧ ସିଆରପିସିରେ ଜାମିନ ଦେବା ପୋଲିସ ପାଇଁ ସହଜ ହେବ। ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଗ୍ରାମପଞ୍ଚାୟତର ଭାଣ୍ଡିଲୋ ଗ୍ରାମର ଚାଷୀ ଶାରଦା ପ୍ରସନ୍ନ ଜେନା ଗତ ୨୬ ତାରିଖରେ ନିଜ ଜମିକୁ ଚାଷ କାର୍ଯ୍ୟ ଦେଖିବା ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କ ଜମିକୁ ଲାଗିଥିବା ଅନ୍ୟ ଏକ ଜମିର ମାଲିକ ପ୍ରଫୁଲ୍ଲ କୁମାର ଦାସ ତାଙ୍କ ହିଡ଼କୁ ଟ୍ରାକ୍ଟର ଯୋଗେ ଖୋଳି ଦେଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ପ୍ରଫୁଲ୍ଲଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଶାରଦା ଘରକୁ ପଳାଇଥିଲେ। ପରେ ଶାରଦା ଭାଣ୍ଡିଲୋ ଛକରେ ଏକ ଚା ଦୋକାନରେ ଛିଡା ହୋଇଥିବା ବେଳେ ପ୍ରଫୁଲ୍ଲର ଭାଇ ପ୍ରଦୀପ ଓ ନାରାୟଣ ଶାରଦାକୁ ଜୀବନରେ ମାରିଦେବା ଉଦେଶ୍ୟରେ ଏକ ସାବଳରେ ଆକ୍ରମଣ କରିଥିଲେ। ଏଥିରେ ଶାରଦାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏବେବି ଡାକ୍ତରଖାନାରେ ସେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି।