Odiapua.com

ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ସମବାୟ ସମିତି, ଧାନ ବିକୁଛନ୍ତି ଦଲାଲ, ମଣ୍ଡି ଜଗିଛନ୍ତି ଚାଷୀ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀଙ୍କ ନାଁରେ ଦଲାଲ ଧାନ ବିକ୍ରି କରୁଛନ୍ତି । ତେଣେ ମଣ୍ଡିରେ ଧାନ ପକାଇ ମଣ୍ଡି ଜଗିଛି ଅସଲ ଚାଷୀ । ଫଳରେ ମଣ୍ଡି ଆଗରେ ନଚେତ ରାସ୍ତା କଡରେ ପଡି ରହିଛି ଚାଷୀଙ୍କର କ୍ୱିଂଟାଲ କ୍ୱିଂଟାଲ ଧାନ । ଚାଷୀଙ୍କନାମରେ ଜାଲ ପଞ୍ଜିକରଣ କରି ନତୁବା ଟୋକନ କିଣିନେଇ ସରକାରଙ୍କୁ ଧାନ ବିକୁଛନ୍ତି ଦଲାଲ । କି୍ୱଂଟାଲ ପିଛା ହଜାରେ/ବାରଶହ ଟଙ୍କାର ଧାନ କିଣିନେଇ ଚାଷୀଙ୍କ ଟୋକନରେ ସରକାରଙ୍କୁ କ୍ୱିଂଟାଲପିଛା ୧୬୬୮ ଟଙ୍କାରେ ଧାନ ବିକୁଛନ୍ତି ଦଲାଲ । ଏଥିରେ ଭାଗିଦାରୀ ସାଜିଛନ୍ତି ବିଭିନ୍ନ ସେବା ସମବାୟ ସମିତି,ମିଲର ଏବଂ ଯୋଗାଣ ବିଭାଗର କିଛି ଅସାଧୁ କର୍ମଚାରୀ । ସବୁ କିଛି ସରକାରୀ କାଇଦା କଟକଣା ମଧ୍ୟରେ ଚାଲିଥିବା ଯୋଗୁ ଏଥିନେଇ କେହି ମୁହଁ ଖୋଲୁନାହାନ୍ତି । ଟୋକନଧାରୀ ଚାଷୀ ମଣ୍ଡି ଆସୁଛି ଆଇସ୍କାନ କରୁଛି ଟୋକନ ଅନୁଯାଇ ସରକାରଙ୍କୁ ଧାନ ବିକୁଛି ଜମା ଖାତାକୁ ଟଙ୍କା ଆସୁଛି ହେଲେ ଚାଷୀକୁ ତାର କମିଶନ ଅର୍ଥ ଦେଇ ବେପାରୀ ଚାଷୀ ଜମା ଖାତାରୁ ଟଙ୍କା ଉଠାଇ ନେଉଛି । ତେଣେ କୋଟା ନଥିବା ଦର୍ଶାଇ ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ସୋସାଇଟି । ଗୋଟିଏ ପଟରେ ଜିଲ୍ଲାର ପ୍ରାୟ ୪୦ ଭାଗ ଚାଷୀ ବର୍ତମାନ ସୁଦ୍ଧା ସେମାନଙ୍କ ଧାନ ବିକ୍ରି କରିବାକୁ ସମର୍ଥ ହୋଇ ନଥିବା ବେଳେ ତେଣେ ଜିଲ୍ଲା ପାଇଁ ସରକାରୀ ଧାର୍ଯ୍ୟ ଧାନ ସଂଗ୍ରହ କୋଟା ସରି ସରି ଆସୁଛି । ପ୍ରତିବର୍ଷ ଜିଲ୍ଲାରେ ସରକାରୀଭାବେ ଯେତିକି ଧାନ ସଂଗ୍ରହ ହୋଇଥାଏ ତାହାର ପ୍ରାୟ ୫୦ ଭାଗ ଧାନ ବେପାରୀଙ୍କ ଜରିଆରେ ବାହାର ରାଜ୍ୟ କୁ ଚାଲାଣ ହୋଇଥାଏ । ଫଳରେ ସରକାରଙ୍କୁ ଧାନ ସଂଗ୍ରହ ଚାପ କମ ପଡିଥାଏ । ହେଲେ ଚଳିତ ବର୍ଷ ଆନ୍ଦ୍ର ଏବଂ ପଶ୍ଚିମବଙ୍ଗ ରେ ବିପୁଳ ଧାନ ଉତ୍ପାଦନ ସାଙ୍ଗକୁ ପଶ୍ଚିମବଙ୍ଗ ନିର୍ବାଚନ ଯୋଗୁ ଏହି ଦୁଇ ରାଜ୍ୟକୁ ଧାନ ଚାଲାଣ ଏକ ପ୍ରକାର ବନ୍ଦ ହୋଇ ଯାଇଛି ।

ଏହାର ଫାଇଦା ନେଉଛନ୍ତି ଧାନ ଦଲାଲ । ଚାଷୀଙ୍କ ଅସହାୟତାର ସୁଯୋଗ ନେଇ ଦଲାଲମାନେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣିନେଇ ତାକୁ ସରକାରୀ ଧାର୍ଯ୍ୟ ଦରରେ ବିଭିନ୍ନ ସେବା ସମବାୟ ସମିତି ଜରିଆରେ ବିକ୍ରି କରୁଛନ୍ତି । ଚାଷୀଙ୍କ ଠାରୁ କ୍ୱିଂଟାଲ ପିଛା ୧୫୦/୨୦୦ ଟଙ୍କାରେ ଟୋକନ କିଣି ନେଇ ସେହି ଟୋକନ ବଳରେ ଦଲାଲମାନେ ସରକାରଙ୍କୁ ଧାନ ବିକ୍ରି କରୁଛନ୍ତି । ମଣ୍ଡିରେ ଅସଲ ଚାଷୀଙ୍କ ଧାନ ଖରାବର୍ଷାରେ ପଡି ରହିଥିବେଳେ ତେଣେ ବେପାରୀଙ୍କ ଧାନ ସିଧା ମିଲରେ ପଡୁଛି । ଫଳରେ ମଣ୍ଡି ଖର୍ଚ ବାବଦକୁ ମିଳୁଥିବା ଅର୍ଥକୁ ମିଲର ଏବଂ ସୋସାଇଟି ଭାଗବଂଟୁରା କରି ଆତ୍ମସାତ କରୁଛନ୍ତି । ଚଳିତବର୍ଷ ସରକାର ଜିଲ୍ଲାକୁ ଯେତିକି ଟୋକନ ଯୋଗାଇ ଦେଇଛନ୍ତି ସେହି ଅନୁଯାଇ ଧାନ ସଂଗ୍ରହ ସକାସେ ଟାର୍ଗେଟ ଦେଇ ନାହାନ୍ତି । ଫଳରେ ହଜାର ହଜାର ଚାଷୀ ଟୋକନ ଧରି ବସି ରହିଥିବା ବେଳେ ଟୋକନ ପାଇଥିବା ହେତୁ ସରକାର ସେମାନଙ୍କ ଧାନ ଆଗରେ ହେଉ ଅଥବା ପଛରେ କ୍ରୟ କରିବେ ବିବେଚନା କରିି ମଣ୍ଡିରେ ଧାନ ଗଦା ମାରି ଜଗି ବସିଛନ୍ତି । ଜିଲ୍ଲା ଯୋଗାଣ ବିଭାଗ ସୁଚନା ଅନୁଯାଇ ବର୍ତମାନ ସୁଦ୍ଧା ଜିଲ୍ଲାକୁ ସରକାରୀ ଭାବେ ୨୩ ଲକ୍ଷ ୨୩ ହଜାର ୫୨୯ କ୍ୱିଂଟାଲ ଧାନ ସଂଗ୍ରହ କୋଟା ମଂଜୁର ସରିଥିଲେ ମଧ୍ୟ ଜିଲ୍ଲାକୁ ଯୋଗାଣ ହୋଇଥିବା ଟୋକନ ମୁତାବକ ଆହୁରୀ ପ୍ରାୟ ୧୦ ଲକ୍ଷ କ୍ୱିଂଟାଲରୁ ଉର୍ଦ୍ଧ ଧାନ ସଂଗ୍ରହ ପାଇଁ ଟାର୍ଗେଟର ଆବଶ୍ୟକତା ରହିଛି । ଏହି ସୁଚନା ଅନୁଯାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପାୟ ୪୦ ହଜାର ଟୋକନଧାରୀ ଚାଷୀ ସେମାନଙ୍କ ଧାନ ବିକ୍ରି ଅପେକ୍ଷାରେ ରହିଛନ୍ତି । ଘଟଣା ସଂର୍ପକରେ ଜିଲ୍ଲା ଯେଗାଣ ନିଗମ ଅଧିକାରୀ ରଂଜନ ସେଠଙ୍କୁ ପଚାରିବାରେ ସେ କହିଛନ୍ତି ସୋସାଇଟି ହେଉ କିମ୍ଭା ମହିଳା ଗୋଷ୍ଟି ହୁଅନ୍ତୁ କେବଳ ଟୋକନଧାରୀ ଚାଷୀହିଁ ସରକାରଙ୍କୁ ଧାନ ବିକ୍ରି କରୁଛନ୍ତି । ତେଣୁ ଏଥିରେ ଦଲାଲଙ୍କ ସଂପୃକ୍ତି ରହିଥିବା ଜାଣିଲେ ମଧ୍ୟ କିଛି କରାଯାଇ ପାରିବ ନାହିଁ । ତେଣେ ଯୋଗାଣ ନିଗମ ର ଏହି ଦୁର୍ବଳତାର ସୁଯୋଗ ନେଇ ଦଲାଲମାନେ ବେଶ ସକ୍ରିୟ ହୋଇ ଉଠିଛନ୍ତି । ଫଳରେ ଜିଲ୍ଲାପାଇଁ କୋଟା ସରି ଆସୁଥିବା ବେଳେ ଦଲାଲ ଧାନ ବିକ୍ରି କରୁଥିବା ବେଳେ ଅସଲ ଚାଷୀ ମଣ୍ଡି ଆଗରେ ଧାନ ଗଦା ମାରି ରାତି ଅନିଦ୍ରା ହୋଇ ଧାନକୁ ଜଗି ବସିଛି ।