Odiapua.com

ଚାଷୀଙ୍କୁ ଅଣଦେଖା ମାଫିଆଙ୍କୁ ପ୍ରୋତ୍ସାହନ, ମାର୍କେଟ୍ କମ୍ପେ୍ଲକ୍ସ ଆଳରେ ଗଡିଲା ଶତାଧିକ ପୁରୁଣା ଗଛ

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃକ୍ଷ ହିଁ ଜୀବନ । ବିଭିନ୍ନ ବନ୍ୟା, ବାତ୍ୟା ଓ ବର୍ତ୍ତମାନର ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷରୋପଣ ପାଇଁ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଏବଂ ଏ ଦିଗରେ ଯୁବପିଢିଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ଭଳି ପୁରସ୍କାରମାନ ପ୍ରଦାନ ଏବେ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ପକ୍ଷରୁ କଟାଯାଉଥିବା ଦୀର୍ଘବର୍ଷର ପୁରାତନ ଗଛ କ୍ଷେତ୍ରରେ ଉପହାସ ମନେ ହୋଇଛି । ଯେତେବେଳେ ମହାମାରୀ କରୋନା ସହିତ ଲଢେଇ କରି ଅମ୍ଳଜାନ କମ୍ ହେବା ଦ୍ୱାରା ହଜାର ହଜାର ଲୋକଙ୍କ ଜୀବନ ଯାଉଛି, ସେତେବେଳେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବାଇପାସ୍‌ସ୍ଥିତ ରେଗୁଲାର ମାର୍କେଟ୍ କମ୍ପେ୍ଲକ୍ସ (ଆରଏମ୍‌ସି) ପକ୍ଷରୁ ନିଲାମ କରାଯାଇ ଏହାର ପରିସରରେ ଥିବା ୩୦ ବର୍ଷରୁ ଉର୍ଦ୍ଧ୍ୱ ଶତାଧିକ ଗଛ କଟାଚାଲିଛି । ଏଥିନେଇ ଭଦ୍ରକର ବୁଦ୍ଧିଜୀବୀ ଓ ଅନୁଷ୍ଠାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏ ସଂପର୍କରେ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ର ସଂପାଦକ ଓ ଉପଜିଲାପାଳ ତୁରନ୍ତ ଏହି ଗଛକଟାକୁ ବନ୍ଦ ନକଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ହେବାର ଚେତାବନୀ ଦିଆଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ମାର୍କେଟ୍ ପରିସରରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଶତାଧିକ ଗଛ ରହିଛି । ଯାହା ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ଆଳରେ ୧୨୦ ରୁ ଉର୍ଦ୍ଧ୍ୱ ଗଛକୁ ୮ ଲକ୍ଷ ଟଙ୍କାରେ ଟେଣ୍ଡର କରାଯାଇ ଠିକାଦାର ଦ୍ୱାରା କଟାଚାଲିଛି । ତେବେ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ଜନିତ ଉନ୍ନତି ପରଦା ପଛରେ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ବିଗତ ୧୦ ବର୍ଷରେ ଏଠାରେ ପ୍ରଶାସନ ପକ୍ଷରୁ ଗୋଟିଏ ବି ଗଛ ଲଗାଯାଇନଥିବାବେଳେ ୩୦ ବର୍ଷର ପୁରୁଣା ଗଛ କାହା ସ୍ୱାର୍ଥରେ କଟାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବହୁ ସାମ୍ବାଦିକ ସଂଗଠନ ଓ ପରିବେଶବିତ୍ ।

ତେବେ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଏହି ବୃକ୍ଷଗୁଡିକ କାଟିବା ନେଇ ଯେଭଳି ସକ୍ରୀୟ ହୋଇଉଠିଛି ଏଭଳି ତତ୍ପରତା କେବେ ଦେଖିବାକୁ ମିଳୁନଥିଲା । ଏହି ତତ୍ପରତା ଚାଷୀଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧିକୁ ନେଇ ପ୍ରକାଶ ପାଇଛି ବୋଲି ସାଧାରଣରେ ସ୍ୱର ଉଠିଛି । ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି ଆରଏମ୍‌ସି କର୍ତ୍ତୃପକ୍ଷ । କିନ୍ତୁ ଚୋର ମୁହଁ ଟାଣ ନୀତିରେ ଏହି କର୍ତ୍ତୃପକ୍ଷ ନିଜ ଦୋଷ ମାନିବାକୁ ପ୍ରସ୍ତୁତ ନାହାଁନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ମାର୍କେଟ୍ କମ୍ଲେକ୍ସ ଯେଉଁ ସ୍ଥାନର ନିର୍ମାଣ ହେବ, ତାହାର କୌଣସି ନିର୍ଦ୍ଦିଷ୍ଟ ରୂପରେଖ ଆରଏମ୍‌ସି ପାଖରେ ନାହିଁ । କିନ୍ତୁ ଗଛକାଟି ଏହାକୁ ନିଲାମ କରି ଭିତିରିଆ ଅର୍ଥ ଆତ୍ମସାତ୍ କରିବାର ନିଶା ଆରଏମ୍‌ସି କର୍ତ୍ତୃପକ୍ଷଙ୍କୁ ଘାରିଛି ବୋଲି ବହୁ ପରିବେଶବିତ୍ ଗଣମାଧ୍ୟମକୁ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ କୌଣସି ଗଛ କାଟିବାକୁ ହେଲେ ପୂର୍ବରୁ ବନବିଭାଗର ଅନୁମତି ଲୋଡା । ଆରଏମ୍‌ସି ଏଥି ନିମିତ୍ତ ଅନୁମତି ମଧ୍ୟ ନେଇଛି । କିନ୍ତୁ କଟାଯାଇଥିବା ଓ କଟାଯିବାକୁ ଥିବା ଗଛ ଗୁଡିକର ସଂଖ୍ୟା ସଂପର୍କରେ ବନ ବିଭାଗ ଓ ଆରଏମ୍‌ସି କର୍ତ୍ତୃପକ୍ଷଙ୍କ ତଥ୍ୟ ମଧ୍ୟରେ ତାଳମେଳ ନାହିଁ । ଆରଏମ୍‌ସି ୧୨୫ ଟି ଗଛ କାଟିବାର ଅନୁମତି ନେଇଥିବା ବିଷୟ ବନ ବିଭାଗ କହିଛି । ଏବଂ ଜଏଣ୍ଟ ଭେରିଫିକେଶନ ପରେ ଉକ୍ତ ଗଛକୁ ଚିହ୍ନଟ କରାଯାଇଛି । କିନ୍ତୁ ଆରଏମ୍‌ସି ସଂପାଦକ ବିକାଶ ନାୟକ ଗଣମାଧ୍ୟମକୁ ୧୨୯ଟି ଗଛ କାଟିବାର ଅନୁମତି ମିଳିଥିବା ବିଷୟ କହିଛନ୍ତି । ଏବଂ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ଟେଣ୍ଡର ହୋଇଛି ଏବଂ ସବୁଠି ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିବା ସତ୍ୱେ ସମସ୍ତ ବିଷୟକୁ ଉପଜିଲାପାଳଙ୍କ ଉପରକୁ ଠେଲି ଦେଇଛନ୍ତି । ମାର୍କେଟ୍ କମ୍ଲେକ୍ସ ନିର୍ମାଣ ଆଳରେ ଯେଉଁ ପୁରାତନ ଗଛ ଗୁଡିକୁ କାଟି ସଫା କରାଯାଉଛି, ସେଥିନେଇ ଆଗାମୀ ଦିନରେ ଯେଉଁ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି ।