ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲବପୁର ପଂଚାୟତ ଅନ୍ତର୍ଗତ ବନ୍ଧଟିଆ ଉତ୍କଳମଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ଚାଷୀମାନଙ୍କ ପାଇଁ ଚାଷ ଜମିରେ ସାରର ସନ୍ତୁଳିତ ବ୍ୟବହାର ଓ ଜୈବସାର ପ୍ରୟୋଗ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶାର ଧାନ-ଆଧାରିତ ଫସଲ ଏବଂ କୃଷି ପ୍ରଣାଳୀ ପାଇଁ ଗୁଣାତ୍ମକ ବାୟୋଇନୋକୁଲାଂଟ ଉତ୍ପାଦନ ଲୋକପ୍ରିୟତା ଏବଂ ଯୋଗାଣ ପ୍ରକଳ୍ପ ସହ ଆଇସିଏଆର ଓ ଡିଏଏଫ୍ଇ, ନୂଆଦିଲ୍ଲୀର “ମେରା ଗାଁ ମେରା ଗୌରବ” କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଶିବିର ଆୟୋଜିତ ହୋଇଥିଲା। ତାଲିମ ଶିବିରରେ ଚାଷୀମାନଙ୍କୁ ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର ଯୋଗୁଁ ମାଟିର ଉର୍ବରତା ହ୍ରାସ, ପରିବେଶ ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମ୍ପର୍କରେ ସଚେତନ କରାଯାଇଥିଲା। ଏହାସହ ଜୈବସାର ଓ ଜୈବ କୀଟନାଶକ ବ୍ୟବହାର ମାଧ୍ୟମରେ ମାଟିର ସୁରକ୍ଷା, ଫସଲ ଉତ୍ପାଦନ ବୃଦ୍ଧି ଏବଂ କୃଷିର ସ୍ଥାୟୀ ଉନ୍ନତି ସମ୍ଭବ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଥିଲେ। ୪ଏସ୪ଆର ଧାମନଗର ଚାଷୀ ଉତ୍ପାଦକ କମ୍ପାନୀର ପ୍ରାୟ ୫୦ ଜଣ ପ୍ରଗତିଶୀଳ ଚାଷୀ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ। କଟକ ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସୁଦୀପ୍ତ ପାଉଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଡକ୍ଟର ଜିତେନ୍ଦ୍ରିଆ ମେହର, ଡକ୍ଟର ଦେବରାତି ଭାଦୁରୀ, ଡକ୍ଟର କୁତୁବୁଦ୍ଦିନ ଅଲି ମୋଲ୍ଲା ଏବଂ ଡକ୍ଟର ଏମ୍. ଆନ୍ନାମଲାଇ ଯୋଗଦେଇ ଜଳବାୟୁ ସ୍ମାର୍ଟ ଧାନ କିସମ, ଫସଲ ଅବଶିଷ୍ଟ ପରିଚାଳନା, ଜୈବସାରର ସମ୍ଭାବନା, ପ୍ରାକୃତିକ ପଦ୍ଧତିରେ କୀଟ ଓ ରୋଗ ନିୟନ୍ତ୍ରଣ ସହ ପରିବେଶଗତ ଓ ଆର୍ôଥକ ସ୍ଥିରତା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ସ୍ଥାନୀୟ ସରପଂଚ ପ୍ରିତମ ଦାସ ଓ ସମାଜସେବୀ ହେମେନ୍ଦ୍ର ଖିଲାର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ପ୍ରାକୃତିକ ଚାଷ ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରିଥିଲେ। ୪ଏସ୪ଆର ଧାମନଗର ଫାର୍ମର ପ୍ରଡ୍ୟୁସର କମ୍ପାନୀର ରଞ୍ଜିତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଷୟିକ କର୍ମଚାରୀ ସୁସାନ୍ତ ମହାପାତ୍ର, ଅମିତ କୁମାର ମାଇତି, କୃଷକ ସାଥୀ ଶୁଶାନ୍ତ ଲେଙ୍କା, ପ୍ରଦୀପ୍ତ ଦାସ ଓ ପ୍ରକଳ୍ପ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।