Odiapua.com

ଚାଷଜମିର ଡିଜିଟାଲ ସର୍ଭେ ହେବ, ୧୩ ଲକ୍ଷ ୩୩ ହଜାର ୪୭୩ ପ୍ଲଟ୍ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଖରିଫରେ ଚାଷ କରାଯାଇଥିବା ଜମିଗୁଡିକର ଡିଜିଟାଲ ସର୍ଭେ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । ଭଦ୍ରକ ଜିଲାପାଇଁ ୧୩ ଲକ୍ଷ ୩୩ ହଜାର ୪୭୩ ପ୍ଲଟ୍‌କୁ ସର୍ଭେ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ପ୍ରଥମଥର ପାଇଁ ଓଡ଼ିଶାରେ ୪ଟି ଜିଲାରେ ଏହି ଡିଜିଟାଲ ସର୍ଭେ ପ୍ରକ୍ରିୟା ପାଇଲଟ୍ ବେସିସ୍‌ରେ କାର୍ଯ୍ୟକାରୀ ହୋଇଛି । ଏହି ଜିଲାଗୁଡିକ ହେଲା ଭଦ୍ରକ, ନୟାଗଡ, ନୂଆପଡା ଓ ଦେବଗଡ । ଏହି ସର୍ଭେ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ୧୨୬୨ ଜଣ ସର୍ଭେୟରଙ୍କୁ ନିଯୁକ୍ତି ଦିଆଯାଇଛି । ଏହାବ୍ୟତୀତ ୩ ଶହ ସୁପରଭାଇଜର ଓ ୩୫ ଜଣ ଭେରିଫାୟରର ରହିଛନ୍ତି । ଏହି କାର୍ଯ୍ୟ ଅଗଷ୍ଟ ୧୬ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି । ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଆସନ୍ତାକାଲି ବୁଧବାର ଠାରୁ ୩୦ ତାରିଖ ମଧ୍ୟରେ ପ୍ରତି ବ୍ଲକ୍ ସ୍ତରରେ ସର୍ଭେୟରମାନଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ତାଲିମ ଦେବାପାଇଁ ଜିଲା ଓ ତହସିଲସ୍ତରରେ ରାଜ୍ୟ ସ୍ତରରୁ ତାଲିମ ପାଇଥିବା ୪୭ ଜଣ ମାଷ୍ଟର ଟ୍ରେନରମାନେ ତାଲିମ ଦେବେ । ଅମଳ ହେବାକୁ ଥିବା ଚାଷଜମି ଗୁଡିକର ସଠିକ୍ ଡାଟାବେସ୍ ରହିବ । ଫଳରେ ସରକାରୀ ଯୋଜନାର କାର୍ଯ୍ୟକାରିତା ସଠିକ୍ ରୂପେ ହୋଇପାରିବା ସହ ସ୍ୱଚ୍ଛତା ମଧ୍ୟ ରହିବ ।