ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାନ୍ଦିଆ ଠାରେ ପ୍ରତିଷ୍ଠା ହୋଇଥିବା ଚାର୍ଜକ୍ରୋମ୍ ଫେକର ପ୍ଲାଣ୍ଟ ବେଦାନ୍ତ ସହିତ ଐତିହାସିକ ଚୁକ୍ତିନାମା କରିଅଛି । ଏଣୁ ବହୁ ପ୍ରତୀକ୍ଷିତ ଏଭଳି ଚୁକ୍ତିନାମା କେବଳ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଚେଷ୍ଟାରୁ ସମ୍ଭବ ହୋଇଥିବାରୁ ଚାର୍ଜକ୍ରୋମ୍ ଏମ୍ପେ୍ଲାଇଜ୍ ୟୁନିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ଏ ସଂପର୍କରେ ୟୁନିୟନ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ସଂଘର ସାଧାରଣ ସଂପାଦକ ସୁଜାତ୍ ମହାପାତ୍ର, ଚାର୍ଜକ୍ରୋମ୍ ଶ୍ରମିକ ସଂଘର ସଭାପତି ବାପୁଜୀ ପାଣିଗ୍ରାହୀ, ସାଧାରଣ ସଂପାଦକ ପ୍ରସନ୍ନ ଦାସ ଏବଂ ଚାର୍ଜକ୍ରୋମ୍ କର୍ମଚାରୀ ସଂଘର ସଭାପତି ମାୟାଧର ମଲ୍ଲିକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ଜୁନ୍ ୨୦୨୦ ରେ ୟୁନିୟନ୍ ପକ୍ଷରୁ ଫେକର ମ୍ୟାନେଜମେଣ୍ଟକୁ ଏଗ୍ରିମେଣ୍ଟ ଚୁକ୍ତିନାମା ସଂପର୍କରେ ଏକ ଦାବିପତ୍ର ଦେଇଥିଲେ । ଶେଷରେ ଫେକର ବେଦାନ୍ତ କଂପାନୀ ଦ୍ୱାରା ୟୁନିୟନର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ଯେଉଁ ଚୁକ୍ତିନାମା ହୋଇଥିଲା, ତାହାଠାରୁ ବେଦାନ୍ତ ସହ ହୋଇଥିବା ଚୁକ୍ତିନାମା ସର୍ବଶ୍ରେଷ୍ଠ ଅଟେ । ଆଜିପର୍ଯ୍ୟନ୍ତ ଶ୍ରମିକମାନଙ୍କର ଏଗ୍ରିମେଣ୍ଟରେ ଟଙ୍କାଟିଏ ବି ବୃଦ୍ଧି ହୋଇନଥିବାବେଳେ ବର୍ତ୍ତମାନର ଚୁକ୍ତିନାମାରେ ଶ୍ରମିକମାନଙ୍କର ବେତନ ୩୫୦ ଟଙ୍କା ବୃଦ୍ଧି ପାଇଥିବାବେଳେ କର୍ମଚାରୀମାନଙ୍କର ବେତନ ୪୫୪୬ (ସିଟିସି) ବୃଦ୍ଧି ପାଇଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ନୂତନ କଂପାନୀ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାର ଚୁକ୍ତିନାମା ହୋଇଛି । ଏହାପଛରେ ଭଦ୍ରକର ଯୁବପିଢିର ବହୁ ଆଶା ଭରସାର ପ୍ରତିଭାଦୀପ୍ତ ଯୁବନେତା ତଥା ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଅବଦାନ ଅଗ୍ରଗଣ୍ୟ ବୋଲି ସଂଘ ପକ୍ଷରୁ ମତପ୍ରକାଶ ପାଇଛି ।