ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ଦାବିକରି ଚାଷୀମାନେ ମାର୍ଚ୍ଚ ୨୦ତାରିଖରେ ଧାନ ବସ୍ତାରଖି ସମିତି ସମ୍ମୁଖ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜ୍ୟ ରାଜପଥ ଅବରୋଧ କରିବେବୋଲି ଜଣାପଡିଛି।ଏନେଇ ସମିତିର ଚାଷୀ ଓ କମିଟି କର୍ମକର୍ତ୍ତା ଜିଲ୍ଲା ପାଳ, ଏସପି, ପିରାହାଟ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ତୁରନ୍ତ ଧାନ ଉଠାଇବା ଓ ଅଧିକ ଟାର୍ଗେଟଦେବା ଦିଗରେ ପଦକ୍ଷେପ ନେବାକୁ ବୁଧବାର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କୁ ଭେଟି ଦାବିକରିଛନ୍ତି। ସମିତିରେ ୫ହଜାର ୭୪୨ କୁଇଣ୍ଟାଲ ଧାନବସ୍ତା ପଡ଼ି ରହିଛି କ୍ଷ ମଣ୍ଡି ବାହାରେ ଖରା, ବର୍ଷାରେ ଏହି ଧାନବସ୍ତା ଦୀର୍ଘ ଦିନ ହେଲା ପଡ଼ି ରହିଥିଲେ ମଧ୍ୟ ମିଲରମାନେ ଏହାକୁ ଉଠାଉ ନଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସେମାନେ ଦର୍ଶାଇଛନ୍ତି ଯେ ,ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ୱରେ ଚାରିତରଫ ସମିତି ଅବସ୍ଥିତ ହୋଇଥିଲେ ମଧ୍ୟ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ଅଦ୍ୟାବଧି ଧାନ ଦେଇ ପାରିନାହାନ୍ତି । ସମିତି ଅଧୀନରେ ୭୨୦ ପଞ୍ଜିକୃତ ଚାଷୀ ଥିବାବେଳେ ୧୫୨ଜଣ ଚାଷୀ ଆଜିଯାଏ ଧାନ ବିକି ପାରିନାହାନ୍ତି । ଚାଷୀମାନଙ୍କ ଠାରୁ ୧୬ହଜାର ୫୧୨କୁଇଣ୍ଟାଲ ଧାନ କିଣା ହୋଇଥିବା ବେଳେ ସମିତି ସହ ଟ୍ୟାଗ ଥିବା ୨ଟି ମିଲ ୧୦ହଜାର ୭୭୦କୁଇଣ୍ଟାଲ ଧାନ ଉଠାଇଛି । ଅବଶିଷ୍ଟ ୫ହଜାର ୭୪୨କୁଇଣ୍ଟାଲ ଧାନ ଖରା ବର୍ଷାରେ ପଡ଼ି ରହିଛି। ମିଲରମାନେ ଧାନ ଉଠାଉ ନଥିବାରୁ ସମିତି କର୍ତ୍ତୃପକ୍ଷ ବାଧ୍ୟ ହୋଇ ଚାଷୀଙ୍କ ଠାରୁ ଧାନ କିଣା ବନ୍ଦ କରି ଦେଇଛନ୍ତି। ମଣ୍ଡିକୁ ଅଧିକ ଟାର୍ଗେଟର ଆବଶ୍ୟକତା ଥିବା ବେଳେ କେତେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ସରିବାକୁ ବସିଲାଣି । ସମିତି ପକ୍ଷରୁ ମିଲରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଧାନ ନେବେ ନାହିଁ ବୋଲି ମନାକରି ଦେଇଥିବାରୁ ଚାଷୀମାନେ ନିରାଶ ହୋଇଛନ୍ତି । ଅପରପକ୍ଷେ ଚାଷୀମାନଙ୍କ ଠାରୁ ସମିତି ଡେରାଡୁନ ଧାନ କିଣି ସାରିଥିବା ବେଳେ ସେହି ଧାନ ମିଲର ନେବେ ନାହିଁ ବୋଲି କହୁଥିବାରୁ ସମିତି କର୍ତ୍ତୃପକ୍ଷଙ୍କ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛ। ଏହି ଅବ୍ୟବସ୍ଥା ପ୍ରତିବାଦରେ ଚାଷୀମାନେ ଆସନ୍ତା ୨୦ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାସ୍ତାରୋକୋ କରିବେ ବୋଲି ସମିତି ସଭାପତି ବସନ୍ତ କୁମାର ନାୟକଙ୍କ ସମେତ ଭରତ ପଣ୍ଡା, ବିଚିତ୍ର ବଳ, ପହ୍ଲାଦ ମହାକୁଡ଼, ସୁବାସ ସେଠୀ, ବଟକୃଷ୍ଣ ନାୟକ ପ୍ରମୁଖ ଚାଷୀମାନେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଚେତାବନୀ ଦେଇଛନ୍ତି । ଅତିରିକ୍ତ ଜିଲାପାଳ ଶ୍ରୀ ଦତ୍ତ ଧାନ ଉଠାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛ।