Odiapua.com

ଚାନ୍ଦିପୁର ରୋଡ଼ରେ ସକ୍ରିୟ ଲୁଟେରା – ମାଛ ବେପାରୀଙ୍କଠାରୁ ଲୁଟିଲେ ୫୦ ହଜାର

ବାଲେଶ୍ୱର, ୧୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ବଳରାମଗଡ଼ିକୁ ମାଛ ଆଣିବାକୁ ଯାଉଥିବା ବେପାରୀଙ୍କଠାରୁ ଚାନ୍ଦିପୁର ରୋଡ଼ରେ ଦୁର୍ବୃତ୍ତମାନେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛୋଟ ଛୋଟ ବୋପରୀମାନେ ସାଇକେଲ ଯୋଗେ ଭୋର ସମୟରେ ବଳରାମଗଡ଼ି ଯାଇ ମାଛ ଆଣି ନିଜ ନିଜ ଅଞ୍ଚଳରେ ବିକ୍ରି କରିଥା’ନ୍ତି। ତେବେ ଆଜି ଭୋର ସେମାନେ ଚାନ୍ଦିପୁର ରୋଡ଼ରେ ଯାଉଥିବା ବେଳେ ଗବଗାଁ ଗଛମାହାଳିଆଠାରେ ଦୁଇଗୋଟି ମୋଟରସାଇକେଲରେ ୬ଜଣ ଯୁବକ ମୁହଁରେ ମାସ୍କ ପରିଧାନ ସହ ଆସି ଏହି ମାଛ ବୋପରୀଙ୍କୁ ଅଟକାଇଥିଲେ। ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ ସେମାନଙ୍କଠାରୁ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦୁର୍ବୃତ୍ତମାନେ ଲୁଟିନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଛିନ୍‌ତାଇର ଶିକାର ହୋଇଥିବା ଏହି ଛୋଟ ବେପାରୀମାନେ ସହରର ଦେୱାନୀପାଟଣାସ୍ଥିତ ମତ୍ସ୍ୟଜୀବୀ ସଂଘରେ ପହଞ୍ଚି ଲୁଟ୍ ଅର୍ଥ ସମ୍ପର୍କରେ ସଂଘର କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ। ସଂଘର କର୍ମକର୍ତ୍ତାଙ୍କ ପରାମର୍ଶ କ୍ରମେ ବୋପରୀମାନେ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ରୋଡ଼ରେ ଆରମ୍ଭ ହୋଇଥିବା ଛିନ୍‌ତାଇ ରୋକିବା ଓ ଲୁଟେରାଙ୍କୁ ଧରିବା ପାଇଁ କେବଳ ଚାନ୍ଦିପୁର ଥାନା ନୁହେଁ ବରଂ ଟାଉନ ଥାନା ପୁଲିସ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ମତ୍ସ୍ୟଜୀବୀ ସଂଘ କର୍ମକର୍ତ୍ତାମାନେ କହିଛନ୍ତି। ଏନେଇ ସଂଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି।