ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁର ପଞ୍ଚାୟତର ବିପର୍ଯ୍ୟସ୍ଥ ନିଷ୍କାସନ ବ୍ୟବସ୍ଥାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟ ଅତୀତରେ ନୂଆକରି ନିର୍ମାଣ ହୋଇଥିବା ରାସ୍ତା ଯୋଗୁଁ ଏପରି ଅବସ୍ଥା ଦେଖାଦେଇଥିବା ଗ୍ରାମବାସୀମାନେ କହିଛନ୍ତି। ବର୍ଷାଜଳ ନିଷ୍କାସନ ହୋଇ ନପାରି ପତିଗନ୍ଧମୟ ସ୍ଥିତି ସୃଷ୍ଟି କରୁଥିବା ସେମାନେ ପ୍ରକାଶ କରିଛନ୍ତି। ବିଶେଷ କରି ଏହି ଅଞ୍ଚଳକୁ ଆସୁଥିବା ପାଇପ୍ ପାନୀୟ ଜଳ ଯୋଗାଣର ସଠିକ୍ ପରିଚାଳନା ହେଉନଥିବା ବେଳେ ଜନସାଧାରଣ ଭରସା କରିଥିବା ଏକମାତ୍ର କୂପ ଏବେ ବର୍ଷା ଜଳରେ ବୁଡ଼ି ରହିବା ଫଳରେ ଦୂଷିତ ପାଣି ଏବେ ତା’ର ମଧ୍ୟକୁ ପଶୁଛି। ଲୋକେ ବାଧ୍ୟ ହୋଇ ପାଣିରେ ଛିଡ଼ା ହୋଇ ନଳକୂପରୁ ପାଣି ବାହାର କରି ପିଉଛନ୍ତି। ଏ ବାବଦରେ ପଞ୍ଚାୟତ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ବି କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀମାନେ କହିଛନ୍ତି। ତେବେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ତପନ ଜେନାଙ୍କୁ ପଚାରିବାରୁ ପାନୀୟ ଜଳ ଯୋଗାଣରେ କୌଣସି ସମସ୍ୟା ନଥିବା କହିଥିଲେ। ସମସ୍ତଙ୍କ ଘରକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି। ତଳିଆ ହୋଇ ରହିଥିବା ନଳକୂପଟିକୁ ବି ଉପରକୁ ଉଠାଇବାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ରାସ୍ତାକାମ ଯୋଗୁଁ ଡ୍ରେନ୍ଟି ସ୍ଥାନେ ସ୍ଥାନେ ପୋତି ଯାଇଥିବା ବେଳେ ଖୁବଶୀଘ୍ର ଏହାକୁ ପରିଷ୍କାର କରାଯିବ ସହ ନିଷ୍ପାସନ ବ୍ୟବସ୍ଥାକୁ ସହଜ କରାଯିବାକୁ ପଞ୍ଚାୟତ ପକ୍ଷରୁ ନିଷ୍ପତି ନିଆଯାଇଛି। ଏଷନଇ ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବ ବୋଲି ସରପଞ୍ଚ ଶ୍ରୀ ଜେନା ସୂଚନା ଦେଇନ୍ତି।