ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବ୍ରିଟିଶ ଶାସନ ଅମଳରୁ ଚାନ୍ଦବାଲି ମୌଜାର ଅନେକ ବାସିନ୍ଦା ସରକାରୀ ଖାସମାହାଲ କିସମ ଜମିରେ ବସବାସ କରୁଛନ୍ତି। କିନ୍ତୁ ଏହି ଜମିର ଖାସମାହାଲ ସ୍ଥିତି ଉଚ୍ଛେଦ ନ ହେବାରୁ ସେମାନେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଘରବାଡ଼ି ପଟ୍ଟା ପାଇ ପାରିନାହାନ୍ତି। ଫଳସ୍ୱରୂପ ଘର ନିର୍ମାଣ, ସରକାରୀ ଋଣ ସୁବିଧା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ବିଭିନ୍ନ ସରକାରୀ ସହାୟତାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ଖାସମାହଲ ଉଛେଦ ସହ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ବାସିନ୍ଦାମାନେ ବାରମ୍ବାର ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିବା ସତ୍ୱେ ଏପର୍ଯ୍ୟନ୍ତ ସଠିକ୍ ପଦକ୍ଷେପ ଗ୍ରହଣ ହୋଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହି ପରିପ୍ରେକ୍ଷିରେ ଚାନ୍ଦବାଲି ମୌଜାର ଶତାଧିକ ପ୍ରଜାଙ୍କ ସହଭାଗୀତାରେ ସ୍ଥାନୀୟ ଦୁର୍ଗା ପଡିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଖାସମାହଲ ସମ୍ପତ୍ତିର ସମସ୍ତ ପ୍ରଜା ଏଥିରେ ଯୋଗଦେଇ ନିଜ ମତାମତ ରଖିଥିଲେ। ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ, ଆଗାମୀ ଦିନରେ ଏକ ପ୍ରତିନିଧି ଦଳ ଗଠନ କରାଯାଇ ତହସିଲଦାର, ଜିଲ୍ଲାପାଳ, ଆର ଡି ସି,ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ।ସ୍ଥାନୀୟ ଲୋକମାନେ ଶୀଘ୍ର ସମାଧାନ ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ଆଶା କରୁଛନ୍ତି।