Odiapua.com

ଚାନ୍ଦବାଲି ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ମାସର ପ୍ରତି ସୋମବାରରେ ଅନୁଷ୍ଠିତ ହୋଇ ଆସୁଥିବା ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଆଦି ଚାନ୍ଦବାଲି ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ, ଭଦ୍ରକ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି.ଭଦ୍ରକ ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୬୧ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୪୯ଟି ବ୍ୟକ୍ତିଗତ ସମସ୍ୟା ଓ ୧୨ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରିତୀମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଚାନ୍ଦବାଲି ବି.ଡ଼ି.ଓ. ଜ୍ୟୋତିବିକାଶ ଦାସ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ଦିଗରେ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗ ସମ୍ବନ୍ଧରେ ଆସିଥିବା ଅଭିଯୋଗ ସବୁର ସମୀକ୍ଷା କରି ସମାଧାନ ପାଇଁ ପଦେକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।