ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବରିଷ୍ଠ ନାଗରିକ ସଙ୍ଘର ୫ମ ବାର୍ଷିକ ସମାରୋହ ଗୁରୁବାର ଚାନ୍ଦବାଲି ସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ସଂଘର ସଭାପତି ଅନନ୍ତ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ଚାନ୍ଦବାଲି କଳା ବିକାଶ ପରିଷଦ ପକ୍ଷରୁ ‘ ବନ୍ଦେ ଉତ୍କଳ ଜନନୀ ‘ ଗାନ ପରେ ପରେ ବରିଷ୍ଠ ଅଧିବକ୍ତା ରଜନୀକାନ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଙ୍ଘର ସମ୍ପାଦକ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଚାନ୍ଦବାଲିର ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟ , ମୁଖ୍ୟ ବକ୍ତା ଚାନ୍ଦବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର , ଅନ୍ୟତମ ଅତିଥି ଭାବେ ଚାନ୍ଦବାଲି ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ , ବରିଷ୍ଠ ନାଗରିକ ସଙ୍ଘର ଜିଲ୍ଲା ସଭାପତି ଲଲାଟେଣ୍ଡୁ ମହାନ୍ତି ଓ ଜିଲ୍ଲା ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ସମାଧାନର ଦିଗସବୁ ଉପରେ ବିସ୍ତୃତ ଆଲୋଚନା ରଖିବା ସହ ମଦମୁକ୍ତ ଓଡ଼ିଶା ନିମନ୍ତେ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ଡ଼ଃ ରାୟଙ୍କୁ ବିଧାୟକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଚାନ୍ଦବାଲି ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀଙ୍କୁ ନଗରପାଳ ଗୌରବ ସମ୍ମାନ , ଶିକ୍ଷାବିତ୍ ରବୀନ୍ଦ୍ରନାଥ ପଣ୍ଡା ଓ ଉମେଶ ଚନ୍ଦ୍ର ସାହୁଙ୍କୁ ଶିକ୍ଷକ ଗୌରବ ସମ୍ମାନ , ବିଶିଷ୍ଟ ସାମାଜିକ କର୍ମୀ ଅନିରୁଦ୍ଧ ପାଣି ଓ ଗୋବିନ୍ଦ ଚନ୍ଦ୍ର ନାୟକଙ୍କୁ ସେବା ଗୌରବ ସମ୍ମାନ , ନବ କିଶୋର ମହାନ୍ତିଙ୍କୁ ସମବାୟ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ୨୬ଜଣ ବରିଷ୍ଠ ନାଗରିକଙ୍କୁ ଆଶାବାଡ଼ି ସହ ନିକ୍ୟାପ ପ୍ରଦାନ କରାଯାଇଥିଲା । ସଙ୍ଘର କାର୍ଯ୍ୟକାରୀ ସଭାପତି ମୂରଲୀଧର ପରିଡ଼ା , ସଙ୍ଗଠନ ସମ୍ପାଦକ ସୁଦର୍ଶନ ପାଣି , କୋଷାଧ୍ୟକ୍ଷ ଗଙ୍ଗାଧର ବିଶ୍ୱାଳ , ସଭ୍ୟ ଅମିୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଦିବ୍ୟାଙ୍ଗ ସଂଘ ସଭାପତି ପ୍ରଦିପ ନାୟକ,ବେଣୁଧର ନାୟକ , ଶରତ କୁମାର ବେହେରା , ଗୟାଧର ଦାସ , କାହ୍ନୁ ଚରଣ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଶିକ୍ଷାବିତ ଶ୍ରୀକାନ୍ତ କୁମାର ମହାଳିକ ଧନ୍ୟବାଦ ଦେଇଥିଲେ ।