Odiapua.com

ଚାନ୍ଦବାଲି ବଣିକ ସଂଘ ସଭାପତିଙ୍କ ପରଲୋକ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବଣିକ ସଂଘର ସଭାପତି ତଥା ସ୍ଥାନୀୟ ମା’ କାଳୀ ମନ୍ଦିର ପୂଜା କମିଟିର ସଦସ୍ୟ ପ୍ରବୋଧ କୁମାର ସାହୁଙ୍କର ଇତିମଧ୍ୟରେ ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ସେ ସ୍ଥାନୀୟ ଅଂଚଳରେ ସାହୁ ବାବୁ ଭାବେ ବେଶ୍ ପରିଚିତ ଥିଲେ । ଅନେକ ଧର୍ମୀୟ ଅନୁଷ୍ଠାନ ସହିତ ଜଡିତ ଥାଇ ଜଣେ ଦରଦୀ ଓ ପରୋପକାରୀ ମଣିଷ ଭାବେ ଜଣାଶୁଣା ସ୍ୱର୍ଗତ ସାହୁଙ୍କ ପ୍ରକୃତ ଘର ମତୋ ଠାରେ । ସେ ହେଉଛନ୍ତି ମତୋର ପ୍ରତିଷ୍ଠିତ ସ୍ୱର୍ଗତଃ ଚିନ୍ତାମଣି ଚୌଧୁରୀଙ୍କ ପୁତ୍ର । ଏଥିସହ ଚାନ୍ଦବାଲିର ଖ୍ୟାତନାମା ବ୍ୟବସାୟୀ ସ୍ୱର୍ଗତଃ ମଣିଚରଣ ସାହୁଙ୍କର ଜ୍ୱାଇଁ । ରବିବାର ଦିନ ଛାତରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମର ଶରୀରକୁ ଚାନ୍ଦବାଲିସ୍ଥ ବାସଭବନକୁ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ଶେଷଶଯ୍ୟା ନିକଟରେ ଝିଅ, ଜ୍ୱାଇଁ, ପୁଅ, ନାତି, ନାତୁଣୀ ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ବଡପୁଅ ସଂଜୟ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଚାନ୍ଦବାଲିର ମତୋ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।