Odiapua.com

ଚାନ୍ଦବାଲି ତହସିଲ ନିଲାମ ନେଇ ମାଣିପୁର ଯୋରରେ ମାଛ ଧରିବା ପାଇଁ ବନ୍ଧ – ଜଳନିଷ୍କାନ ହୋଇନପାରି ଶହଶହ ଏକର ଧାନଫସଲ ନଷ୍ଟ ହେବା ଆଶଙ୍କା

ଭଦ୍ରକ, ୧୪-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଚାନ୍ଦବାଲି ବ୍ଲକର ହଳଦିଆ ନିକଟ ନୂଆନଈରୁ ବାହାରିଥିବା ମାଣିପୁର ଯୋର ଚାଷୀମାନଙ୍କ ପାଇଁ କୃଷି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ମରୁଡି ହେଲେ ଚାଷୀମାନେ ଜଳସେଚନ ପାଇଁ ଏହା ଉପରେ ନିର୍ଭର କରୁଥିବା ବେଳେ ବର୍ଷା ହେଲେ ଚାଷ ବିଲର ଉଦ୍‍ବୃତ ଜଳ ମଧ୍ୟ ଏହି ଯୋର ଦେଇ ତେରଯୋଡ଼ିଆ ନଦୀକୁ ନିଷ୍କାସନ ହୋଇଥାଏ। ତେବେ କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏହି ଯୋରକୁ ଚାନ୍ଦବାଲି ତହସିଲ ପକ୍ଷରୁ ନିଲାମ ଦିଆଯାଇଛି। ନିଲାମ ନେଇଥିବା ସଂପୃକ୍ତ ବ୍ୟକ୍ତି ମାଛ ଧରିବା ପାଇଁ ଏକ ବନ୍ଧ ସନାନତ ଗୋସାଇଁ ମଠ ନିକଟରେ ନିର୍ମାଣ କରିଦେଇଛନ୍ତି। ଛୋଟିଆ ବାଟଟିଏ ରଖିଛନ୍ତି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଚାଷ ଜମିରେ ବର୍ଷା ଜଳ ଲହରି ଭାଙ୍ଗୁଛି। ମାଛ ଧରିବା ପାଇଁ ନିଲାମ ନେଇଥିଲେ ବି ନଦୀରେ ବନ୍ଧ ବାନ୍ଧିବା ବା ଜଳକୁ ଅବରୋଧ କରିବା ଆଦି କାର୍ଯ୍ୟ ନିୟମ ବର୍ହିଭୁତ ଅଟେ। ପ୍ରାଶାସନିକ ଅବହେଳା କାରଣରୁ ଏହାକୁ କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତିି। ମାଣିପୁର ଯୋରରେ ବନ୍ଧ ବାନ୍ଧିବା ଫଳରେ ସଂପ୍ରତି ହଳଦିଆ, ଛତ୍ରପଦା, ମାଣିପୁର, ନୂଆସାହି, ନରେନ୍ଦ୍ରପୁର ଆଦି ମୌଜାର ଶହଶହ ଏକର ଚାଷ ଜଳର୍ଣ୍ଣାବ ହୋଇ ଯାଇଛି। ଏହି ସବୁ ଅଞ୍ଚଳର ଧାନଚାଷ ସଂପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭରଶୀଳ। କିଛିଦିନ ତଳେ ମରୁଡ଼ିର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ସଂପ୍ରତି କୃତ୍ରିମ ବନ୍ୟା ମଧ୍ୟ ସୃଷ୍ଟି ହୋଇଛି। ଶହଶହ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଯୋରକୁ ଚାନ୍ଦବାଲି ତହସିଲ ନିଲାମ ନଦେବାକୁ ଦାବି ହେଉଛି।