ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଂଚଳରେ ଜଳସମ୍ପଦ ବିଭାଗକୁ ନେଇ ଉଠିଥିବା ଦୁର୍ନୀତି ଅଭିଯୋଗ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷର କାରଣ ହୋଇଛି। ସରକାରୀ ଅର୍ଥରେ ହେଉଥିବା ଉନ୍ନୟନ କାମରେ ବ୍ୟାପକ ଅନିୟମିତତା, କାର୍ଯ୍ୟ ନ କରି ମିଛ ବିଲ ଦେଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗକୁ ନେଇ ଚାନ୍ଦବାଲିବାସୀ ଖୋଲାଖୋଲି ଭାବେ ମୁହଁ ଖୋଲିଛନ୍ତି। ବିଶେଷକରି ଜଳସେଚନ ବିଭାଗର କେତେକ ଯନ୍ତ୍ରୀ ଓ ଅଧିକାରୀଙ୍କ ଭୂମିକାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଂଚିଛି। ଚାନ୍ଦବାଲି ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିରରେ ଏହି ଦୁର୍ନୀତି ପ୍ରସଙ୍ଗ ଜୋରଦାର ଭାବେ ଉଠିଥିଲା। ଶିବିରକୁ ମୋଟ ୭୧ଟି ଅଭିଯୋଗ ପହଂଚିଥିବା ବେଳେ ତାହାର ଅଧିକାଂଶ ଅଭିଯୋଗ ଥିଲା ଜଳସେଚନ ବିଭାଗର ଅନିୟମିତତା, ରାସନକାର୍ଡ ବଂଟନରେ ଅବ୍ୟବସ୍ଥା ଓ ଆବାସ ଯୋଜନାରୁ ଗରିବ ଲୋକଙ୍କୁ ବଂଚିତ କରାଯାଇଥିବା ସମ୍ପର୍କିତ। ଏହି ଜନଶୁଣାଣି ଶିବିରରେ ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଆରକ୍ଷୀ ଅଧିକ୍ଷକ, ସିଡିଏମଓ, ପିଡି, ବିଡିଓ, ତହସିଲଦାର ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ଜଳସମ୍ପଦ ବିଭାଗର କାର୍ଯ୍ୟପ୍ରଣାଳୀ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ପ୍ରକଳ୍ପରେ କାମ ନ ହୋଇଥିଲେ ମଧ୍ୟ କାଗଜପତ୍ରରେ କାର୍ଯ୍ୟ ସମ୍ପୂର୍ଣ୍ଣ ଦେଖାଇ ମିଛ ବିଲ ମାଧ୍ୟମରେ ସରକାରୀ ଟଙ୍କା ଉଠାଯାଇଛି। କକତେକ ସ୍ଥାନରେ ନଦୀବନ୍ଧ ମରାମତି, କେନାଲ ସଫେଇ ଓ ଜଳନିଷ୍କାସନ କାମ କାଗଜରେ ହୋଇଥିବା ଦର୍ଶାଯାଇଥିବା ବେଳେ ଭୂମିସ୍ତରରେ ସେହି କାମର କୌଣସି ଚିହ୍ନ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଖୋଲାଖୋଲି ଭାବେ କହିଛନ୍ତି ଯେ, କେବଳ କାଗଜ କଲମରେ ଉନ୍ନୟନ ଦେଖାଇ ଟଙ୍କା ହଡପ କରାଯାଉଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ସାଧାରଣ ଲୋକ ଏହାର ଶିକାର ହେଉଛନ୍ତି। ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାୟୀ, ବର୍ଷା ଋତୁ ଆସିଲେ ଚାନ୍ଦବାଲି ଅଂଚଳର ବହୁ ଗ୍ରାମ ଜଳବନ୍ଦୀ ସମସ୍ୟାରେ ପଡୁଛି। କେନାଲ ଓ ନାଳ ସଫେଇ କାମ ନିୟମିତ ଭାବେ ନ ହେବାରୁ ଚାଷ ଜମିରେ ପାଣି ଜମି ରହୁଛି। ତଥାପି ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ବିଲ ପାସ ହେଉଥିବାରୁ ଲୋକଙ୍କ ମନରେ ସନ୍ଦେହ ଆହୁରି ଗାଢ଼ ହେଉଛି। ଜନଶୁଣାଣି ଶିବିରରେ କେତେକ ଅଭିଯୋଗକାରୀ ସିଧାସଳଖ ଭାବେ କହିଥିଲେ ଯେ, ଚାନ୍ଦବାଲି ଜଳସମ୍ପଦ ବିଭାଗର କେତେକ ଯନ୍ତ୍ରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନିୟମିତତା ଅଭିଯୋଗ ଆସିଥିଲା। ତଥାପି ସେମାନଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ ନ ହେବାରୁ ଦୁର୍ନୀତି ଆହୁରି ବଢ଼ି ଚାଲିଛି। “ମିଛ ବିଲ କରି ଟଙ୍କା ହଡପ ହେଉଛି, ହେଲେ ତଦନ୍ତ ନାଁରେ ସବୁ ଚାପି ଦିଆଯାଉଛି” ବୋଲି ଅଭିଯୋଗକାରୀମାନେ କହିଛନ୍ତି।ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଭିଯୋଗର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଜିଲ୍ଲାପାଳ ଲୋକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଯେଉଁ ସବୁ ଅଭିଯୋଗ ଆସିଛି ସେଗୁଡିକର ନିରପେକ୍ଷ ତଦନ୍ତ ହେବ ଏବଂ ଯଦି କୌଣସି ଅଧିକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ।ତେବେ ପ୍ରଶ୍ନ ଉଠୁଛି, ଯଦି ଅଭିଯୋଗ ସତ୍ୟ ତେବେ ଏପର୍ଯ୍ୟନ୍ତ କାହିଁକି ନିରବ ରହିଛି ବିଭାଗ। କାହିଁକି ପୁନଃପୁନି ଅଭିଯୋଗ ସତ୍ୱେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଚାନ୍ଦବାଲିବାସୀ ଏବେ ଏହାର ସ୍ୱଚ୍ଛ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।