Odiapua.com

ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଦୁର୍ନିତୀ ,ଏଫ-୨ ଅର୍ଥରେ ଠିକାଦାର, ଯନ୍ତ୍ରୀ କୋଟିପତି, ତୁରନ୍ତ କନିଷ୍ଠ ଏବଂ ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହ ଭିଜଲାନ୍ସ ତଦନ୍ତ ଦାବୀ

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଦୁର୍ନିତୀ ଦିନକୁ ଦିନ ଖୋଲିବାରେ ଲାଗିଛି। ଏହି ଜଳସମ୍ପଦ ବିଭାଗ ଅଧିନରେ ଥିବା କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କର ଦୁଇ ଦୁଇ ଥର ବଦଳି ହେବା ପରେ ମଧ୍ୟ ସଂପୃକ୍ତ ଯନ୍ତ୍ରୀ ଜଣକ ମୁଖ୍ୟଯନ୍ତ୍ରୀଙ୍କୁ ହାତ କରି ପୁନଶ୍ଚ ଆସି ଚାନ୍ଦବାଲିରେ ଯୋଗ ଦେଇଛନ୍ତି। ସବୁ ଠାରୁ ରୋଚକର ବିଷୟ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨ଜଣ ସହକାରୀ ଯନ୍ତ୍ରୀ ବଦଳି ହୋଇଥିବା ବେଳେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଜଣକ ଚାନ୍ଦବାଲି ଛାଡି କୁଆଡେ ବଦଳିକୁ ନାପସନ୍ଦ କରିବା ସହ ଦଳର ସଭାପତିଙ୍କୁ ନେହୁରା ହୋଇ ଏବଂ ମୁଖ୍ୟଯନ୍ତ୍ରୀ ଓ ଯନ୍ତ୍ରୀମୁଖ୍ୟଙ୍କୁ ଭେଟି ଦେଇ ପୁନଶ୍ଚ ଚାନ୍ଦବାଲି ରେ ଅବସ୍ଥାପିତ ହୋଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ୨୦୨୩-୨୪ ଆର୍ଥିକ ବର୍ଷରେ ଚାନ୍ଦବାଲି ଜଳସମ୍ପଦ ବିଭାଗରେ ସହକାରୀ ଯନ୍ତ୍ରୀ ସୌଭାଗ୍ୟ ତରାଇ ଥିବା ବେଳେ ଏହି ସମୟରେ ୧୧ଟି ଏଫ ଟୁ କାର୍ଯ୍ୟ ବଂଟନ କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ୧୧ଟି କାର୍ଯ୍ୟ ଆରମ୍ଭ ହୋଇ ନଥିବା ବେଳେ ସଂପୃକ୍ତ ସହକାରୀ ଯନ୍ତ୍ରୀ କନିଷ୍ଠଯନ୍ତ୍ରୀ ମିଲି ଭଗତରେ ଏହି କାର୍ଯ୍ୟର ବିଲ କରିଦେଲେ। ପୁନଶ୍ଚ ୨୦୨୪-୨୫ ଆର୍ଥିକ ବର୍ଷରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ବଦଳି ହେବା ପରେ ତାଙ୍କ ସ୍ଥାନରେ ସହକାରୀ ଯନ୍ତ୍ରୀ ଭାବେ ସୁରଜ ମଲିକ ଯୋଗ ଦେଲେ। ସଂପୃକ୍ତ ମହାଶୟ ଏହି ଆର୍ଥିକ ବର୍ଷରେ ୨୭ଟି ଏଫ ଟୁ କାର୍ଯ୍ୟ ଆଦେଶ ଦେଲେ ଏବଂ ଚିରାଚଳିତ ମିଲି ଭଗତରେ କାର୍ଯ୍ୟ କୁ ନ ଦେଖି ସଂପୃକ୍ତ ଠିକାଦାରଙ୍କୁ ନିଜର ପିସି ନେଇ ବିଲ କରାଇ ଦେଲେ। ୨୦୨୩-୨୪-୨୫ ଆର୍ଥିକ ବର୍ଷରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ଦ୍ୱୟ କେବଳ ନାମ ବଦଳାଇ ଏହି ଏଫ ଟୁ କାର୍ଯ୍ୟାଦେଶ ଦେବା ସହ ୩କୋଟିରୁ ଅଧିକ ଅର୍ଥ ର ବିଲ କରାଇ ଦେଲେ। କାର୍ଯ୍ୟ ପାଇଥିବା ଠିକାଦାର ଜଣେ ନିଜ ନାମ ଗୁପ୍ତ ରଖି ପ୍ରକାଶ କରିଛନ୍ତି ଆମେ ଏହି ଏଫ-୨ କାର୍ଯ୍ୟ ପାଇଁ ସହକାରୀ ଯନ୍ତ୍ରୀ ଙ୍କୁ ଆଗେ ପିସି ଦେଲେ ସେ ଆମ ନାମରେ କାଗଜ କରୁଛନ୍ତି। ତାହା ପୁଣି ନିର୍ଦିଷ୍ଟ କିଛି ଠିକାଦାରଙ୍କ ନାମରେ କରାଯାଉଛି। ମୁଖ୍ୟତ ଏହି ମିଥ୍ୟା କାଗଜ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀ ଙ୍କୁ ଛାଡିଦେଲେ ଅନ୍ୟ କୌଣସି କର୍ମଚାରୀ କିମ୍ବା ଠିକାଦାର ଏହି କାର୍ଯ୍ୟ ବିଷୟରେ ଜାଣିବାର ପ୍ରଶ୍ନ ଉଠେନି। ତେଣୁ ବିଗତ ୨ ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କାର ମିଥ୍ୟା କାଗଜ ପ୍ରସ୍ତୁତ କରି ବିଲ କରାଯାଉଛି ଏବଂ ଏହା ରାଜକୋଷରୁ ଖର୍ଚ ହେଉଛି। ସମସ୍ତ କଥା ସରକାର ଜାଣିବା ପରେ ମଧ୍ୟ ସଂପୃକ୍ତ କନିଷ୍ଠଯନ୍ତ୍ରୀ ,ସହକାରୀ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ପଛଘୁଂଚା ଦେଉଛନ୍ତି। ଟେଣ୍ଡର ନକରି ଏଫ-୨ କୋଟି କୋଟି ଟଙ୍କାର କାର୍ଯ୍ୟ କରୁଥିବା କଥା କୁ ନେଇ ଖୋଳତାଡ ହେବା ପରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ କିଛି ଜାଣି ନାହାନ୍ତି ବୋଲି ସଫେଇ ଦେଇଥିଲେ ମଧ୍ୟ କିପରି ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀ ମିଳିମିଶି ବିଲ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ବର୍ତମାନ ଏହି ଏଫ-୨ କାର୍ଯ୍ୟରେ ଆଦାୟ ହୋଇଥିବା ପିସି ସମାନ ଭାଗ ନ ହେବାରୁ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ପରସ୍ପରକୁ ଦୋଷ ଦେଉଛନ୍ତି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଖୁଆ ପଦା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଞୀବ କୁମାର ସାମଲଙ୍କୁ ଏହି ଅଭିଯୋଗ ଉପରେ ଚଳିତ ମାସ ୩୧ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଅନ୍ୟ ଏକ ଟେଣ୍ଡର କାର୍ଯ୍ୟରେ ୨ଜଣ ଠିକାଦାର ସରକାରୀ ଜମିରୁ ମାଟି ନେଇ ରାସ୍ତା କାର୍ଯ୍ୟ କରିଥିବା ବେଳେ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ୪୦ଲକ୍ଷ ରୁ ଅଧିକ ଟଙ୍କାର ବିଲ କପରି କରାଇ ଦେଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ। ଏଥିସହ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଙ୍କୁ ଚାନ୍ଦବାଲି ଜଳସମ୍ପଦ ବିଭାଗରୁ ଅନ୍ୟତ୍ର ବଦଳି କରାଯିବାକୁ ସର୍ବସାଧାରଣରେ ଦାବୀ ହୋଇଛି।ଏହି କାର୍ଯ୍ୟ ବିଷୟରେ କିଛି ଠିକାଦାର କାର୍ଯ୍ୟ କରି ନାହାନ୍ତି ବୋଲି ପ୍ରତିକ୍ରିୟା ରଖୁଥିବା ବେଳେ ସହକାରୀ ଯନ୍ତ୍ରୀ ସବୁ ଠିକ ଚାଲିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।