ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଠାରେ ଥିବା ଜଳ ସମ୍ପଦ ବିଭାଗର ବିଚିତ୍ର ନୀତି । ଏହି ବିଭାଗର ଜଣେ ସହକାରୀ ଯନ୍ତ୍ରୀ ବିଭାଗୀୟ କାର୍ଯ୍ୟଦେଶରେ ଅନିୟମିତତ କାର୍ଯ୍ୟ ନେଇ ଅଭିଯୋଗ ହେବା ପରେ ଉପରିସ୍ଥ ଯନ୍ତ୍ରୀ ସଂପୃକ୍ତ ଯନ୍ତ୍ରୀଙ୍କୁ ବଦଳି କରିଥିଲେ ମାତ୍ର ବଦଳି କାର୍ଯ୍ୟଦେଶର ୨୦ଦିନ ପରେ ପୁନଃ ସଂପୃକ୍ତ ଯନ୍ତ୍ରୀଙ୍କୁ ଚାନ୍ଦବାଲିରେ ଥଇଥାନ କରାଗଲା। ପ୍ରାପ୍ତ ଖବରରୁ ଜଣାଯାଇଛି ୨୦୨୪-୨୫ ଆର୍ଥିକ ବର୍ଷରେ ଚରଦିଆ ପଂଚାୟତରେ ଏକ ରାସ୍ତା ନିର୍ମାଣ କରାଯାଇଥିଲା । ଏହି କାର୍ଯ୍ୟ ଆରମ୍ଭର କିଛି ଦିନ ପରେ ସଂପୃକ୍ତ ସହକାରୀ ଯନ୍ତ୍ରୀ କାର୍ଯ୍ୟକରୁଥିବା ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ୨୦ଲକ୍ଷ ଟଙ୍କାର ରନିଂ ବିଲ କରାଇଦେଇଥିଲେ। ଏ ନେଇ ଚରଦିଆ ପଂଚାୟତ ବାସୀ ଏହି ବିଷୟରେ ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଏବଂ ଏହି ବିଷୟରେ ଗତ ନଭେମ୍ବର ୨୮ ତାରିଖ ଖବର ପ୍ରସାରଣ ହୋଇଥିଲା। ବାଧ୍ୟ ହୋଇ ବିଭାଗୀୟ ଅଧିକାରୀ ସଂପୃକ୍ତ ସହକାରୀ ଯନ୍୍ରୀ ବାଣିଶ୍ରୀ ନାୟକଙ୍କୁ ଚଣ୍ଡିଖୋଲ ଜଳସମ୍ପଦ ମୁଖ୍ୟଯନ୍ତ୍ରୀଙ୍କ ଅଧିନରେ ଥିବା ଜୋକାଡିଆକୁ ଚିଠି ସଂଖ୍ୟା ୩୩୫୧/୩ଡିସେମ୍ବର ରେ ବଦଳି ଆଦେଶ କରିଥିଲେ। ଏବଂ ଏହି ବଦଳି ଆଦେଶ ପରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ବାଣିଶ୍ରୀ ନାୟକ ଚାନ୍ଦବାଲି ଅଫିସରୁ ଯାଇ ଜୋକାଡିଆ ରେ ନିଯୁକ୍ତି ପାଇଥିଲେ। ମାତ୍ର ଏହି ବଦଳି ଆଦେଶ ବାହାରିବାର ଠିକ ୨୦ଦିନ ପରେ ଅର୍ଥାତ ଡିସେମ୍ବର ୨୩ ତାରିଖ ରେ ପୁନଃ ଏକ ବଦଳି ଆଦେଶ କାର୍ଯ୍ୟକାରୀ କରାଯାଇଛି। ଚଣ୍ଡିଖୋଲ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୩୬୦୫/୨୩ ଡିସେମ୍ବର ୨୦୨୫ରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ ଜୋକାଡିଆ ଜଳସମ୍ପଦ ଅଫିସରୁ ପୁନଃ ଚାନ୍ଦବାଲି ଜଳସମ୍ପଦ ବିଭାଗକୁ ବଦଳି କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ୨.୫ କି.ମି ଲମ୍ବ ରାସ୍ତା ପାଇଁ ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହି ଅଟକଳ ଅନୁଯାଇ ଚରଦିଆ ପଂଚାୟତ ଚାନ୍ଦକୁଡା ପୋଲ ପାଖରୁ ଆରମ୍ଭ ହୋଇ ଏହି ରାସ୍ତା ଓଝାପଡା ଠାରେ ଶେଷ ହେବା ପାଇଁ ଆକଳନ ହୋଇଥିଲା। ଏହି ରାସ୍ତା ନିର୍ମାଣ ପାଇଁ ନଦୀକୂଳ ଠାରୁ ଅତିକମରେ ୧କିମି ଦୂରରୁ ମାଟି ଆସିବାର ଏଗିମେଂଟ ହୋଇଥିଲା ମାତ୍ର ସଂପୃକ୍ତ ଠିକାଦାର ନଦୀ ପଠାରୁ ମାଟି ଉଠାଇ ଏହି ରାସ୍ତା ନିର୍ମାଣ କରୁଥିବା ବେଳେ ସଂପୃକ୍ତ ଯନ୍ତ୍ରୀ ଏହି ରାସ୍ତା ପାଇଁ ୨୦ଲକ୍ଷ ଟଙ୍କ ରନିଂ ବିଲ କରିବା ପରେ ସଂପୃକ୍ତ ଯନ୍ତ୍ରୀ ବିବାଦୀୟ ହେବା ସହ ବଦଳି ହୋଇଯାଇଥିଲେ। ମାତ୍ର କେଉଁ ପରିସ୍ଥିତିରେ ସଂପୃକ୍ତ ଯନ୍ତ୍ରୀଙ୍କୁ ପୁନଃ ଚାନ୍ଦବାଲିରେ ଥଇଥାନ କରାଗଲା ତାହାର ତଦନ୍ତ କରିବାକୁ ଚରଦିଆ ପଂଚାୟତ ବାସୀ ଦାବୀ ଜଣାଇଛନ୍ତି। ଏହି ବାବଦରେ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତଙ୍କୁ ପଚାରିବାରୁ ସେ କଣ ହୋଇଛି ଦେଖିବା କହିଥିବା ବେଳେ ଯନ୍ତ୍ରୀ ମୁଖ୍ୟ ଚନ୍ଦ୍ର ଶେଖର ପାଢୀ ଏବିଷୟରେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଥିଲେ। ତୁରନ୍ତ ସଂପୃକ୍ତ ସହକାରୀ ଯନ୍ତ୍ରୀ ଙ୍କୁ କିପରି ଏବଂ କାହିଁକି ବଦଳି କରାଯିବାର ୨୦ଦିନ ପରେ ପୁନଃ ଥଇଥାନ କରାଗଲା ଏବଂ ତୁରନ୍ତ ବାଣିଶ୍ରୀ ନାୟକଙ୍କୁ ଚାନ୍ଦବାଲିରୁ ବଦଳି କରା ନଗଲେ ଆଗାମୀ ଦିନରେ ଅଂଚଳବାସୀ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି।