Odiapua.com

ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଚିତ୍ର ନୀତି : ଭୁଲ୍ ସ୍ଥାନରେ ଫଳକକୁ ନେଇ ହଟହଟା, କାର୍ଯ୍ୟନିର୍ବାହୀ କହିଲେ ଖୁବ ଶୀଘ୍ର ଫଳକ ହଟାଯିବ

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଧାମରା ପଂଚାୟତ ଅଧିନସ୍ଥ ଧାମରା-ଚୌଧୁରୀ ରାସ୍ତା ମରାମତି କାର୍ଯ୍ୟର ଶିଳାନ୍ୟାସ ଗତ ୧୫ ତାରିଖରେ ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ଦ୍ୱିଜବର ରାଉତ, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷା ମାନସୀ ସାହୁ ପ୍ରମୁଖ ଯୋଗ ଦେଇଥିବା କଥା ଏହି ଫଳକରେ ଉଲ୍ଲେଖ ଅଛି। ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୋଟିଏ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ମନ୍ତବ୍ୟ ରଖିଥିଲେ। ହେଲେ ସେହି ଫଳକକୁ ନେଇ ବିଭାଗୀୟ ଅଧିକାରୀ ହଟହଟା ହେବାକୁ ପଡିଛି ବୋଲି ଜଣାଯାଇଛି। ଏହି ରାସ୍ତା ଧାମରା ପଂଚାୟତରେ ହୋଇଥିବା ବେଳେ ଏହାର ସମ୍ପର୍କ ବାଂଶଡା ପଂଚାୟତ ସହ ନାହିଁ। ମାତ୍ର ଫଳକରେ ଛେଡାକ ରୁ ବାଂଶଡା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ପର୍ଯ୍ୟାୟକ୍ରମେ ରକ୍ଷଣାବେକ୍ଷଣ ବୋଲି ଉଲ୍ଲେଖ ଅଛି। ଏହି କଥାକୁ ନେଇ ବାଂଶଡା ପଂଚାୟତବାସୀ ତଥା ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି କାର୍ଯ୍ୟ ଏକ ଅଣସାମ୍ବିଧାନିକ, ବିଭାଗୀୟ କର୍ତୁପକ୍ଷ ଖୁବ ଶୀଘ୍ର ଏହି ଫଳକ ହଟାଇବା ଜରୁରୀ ବୋଲି ମତ ରଖିଥିଲେ। କେଉଁ ପରସ୍ଥତିିରେ ଭୁଲ ଫଳକ ଭୁଲ ସ୍ଥାନରେ ଲଗାଇ ସମସ୍ତ ରାଜନୈତିକ ନେତୃବୃନ୍ଦ ଏହାର ଉନ୍ମୋଚନ କଲେ ତାହା ସାଧାରଣ ଜନତାଙ୍କୁ ଦ୍ୱନ୍ଦ ରେ ପକାଇଛି।ଏହି କଥାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯଦି କୌଣସି ଭୁଲ୍ ସ୍ଥାନରେ ଏହି ଫଳକ ଲଗା ହୋଇଛି ତାହା ହେଲେ ଏହାକୁ ଏସଡିଓ ଖୁବ ଶୀଘ୍ର ହଟାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।