ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେସରକାରୀ ଲୋକଙ୍କୁ ସରକାରୀ ଅଫିସର ବର୍ଷ ବର୍ଷ ହେଲା ବସାଇ ତାଙ୍କୁ ହାତବାରିସ କରି ସରକାରୀ ବାବୁ ନେଉଛନ୍ତି ଲାଞ୍ଚ । ଗୋଟିଏ ମୃତ୍ୟୁ ପ୍ରମାଣପତ୍ର ପାଇଁ ଦେବାକୁ ପଡୁଛି ୫ ଶହ ଟଙ୍କା । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ଟଙ୍କା ନେଇଥିବା ବେସରକାରୀ କର୍ମଚାରୀଙ୍କୁ ଟଣାଘୋଷରା ସହିତ ଠେଲାପେଲା କଲେ ଲୋକେ । ଶେଷରେ ଅଫିସ୍ ବନ୍ଦ କରି ସରକାରୀ ଓ ବେସରକାରୀ କର୍ମଚାରୀ ପଳାଇଲେ । ଦିନେ ନୁହେଁ କି ଦୁଇଦିନ ନୁହେଁ ଏମିତି ବର୍ଷ ବର୍ଷ ଚାଲିଛି । ସୁନ୍ଦରପୁର ଗାଁର ଗଣେଶ ସାହୁଙ୍କ ପିତା ଗଂଗାଧର ସାହୁ ବର୍ଷେ ତଳେ ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କ ପୁଅ ଆଜକୁ ୬ ମାସ ହେଲାଣି ମୃତ୍ୟୁ ପ୍ରମାଣପତ୍ର ପାଇଁ ଚାନ୍ଦବାଲି ମେଡିକାଲକୁ ଦୌଡୁଛନ୍ତି । ହେଲେ କେତେବେଳେ ସାଇଟ୍ ବ୍ଲକ୍ ତ କେତେବେଳେ ଉପର ଅଫିସର ନାହାଁନ୍ତି । ଏମିତି କହି ସମୟ ଗଡାଇ ଚାଲିଛନ୍ତି । ଶେଷରେ ୫ ଶହ ଟଙ୍କା ଦେଲେ କାମ ହୋଇଯିବ ବୋଲି କହିବା ପରେ ଗଣେଶ ଅଫିସରେ ଥିବା କର୍ମଚାରୀଙ୍କୁ ୫ ଶହ ଟଙ୍କା ଦେଇଥିଲେ । ଆଉ ଘଣ୍ଟାଏ ଦୁଇଘଣ୍ଟା ଭିତରେ ପ୍ରମାଣପତ୍ର ମିଳିଯାଇଥିଲା । ପ୍ରମାଣପତ୍ର ପାଇବା ପରେ କାହିଁକି ଟଙ୍କା ନେଲ, ଟଙ୍କା ଫେରାଓ ବୋଲି ଜିଦ୍ କରି ବେସରକାରୀ କର୍ମଚାରୀ ଅଜୟ ପରିଡାଙ୍କୁ ଟଣାଓଟରା କରିଲେ । ହେଲେ ସେ ମେଡିକାଲରେ କୌଣସି ପଦପଦବୀରେ ନଥିବାବେଳେ ସେ ଏମିତି ସାର୍ଟିଫିକେଟ୍ କାମ କରୁଛନ୍ତି । ଯିଏ ଯାହା ୨୦-୩୦ ଖର୍ଚ୍ଚ ଦେଲେ ନେଉଛି । ଯାହାଠୁ ପଇସା ନେଇଛୁ ତା କାମ କରିଛୁ ବୋଲି କହିଛନ୍ତି । ଅନ୍ୟପଟରେ ଅଫିସର ହେଡ୍ କ୍ଲର୍କ ପ୍ରିୟବ୍ରତ ମିଶ୍ର କହୁଛନ୍ତି, ଯାହା ସରକାରୀ ଚାର୍ଜ ନେଇଛୁ, ସେ କିଏ ଏ ଅଫିସ୍ରେ ପବ୍ଲିକ୍ ମୁଁ ତାଙ୍କ କଥା କହିପାରିବି ନାହିଁ ବୋଲି ସଫେଇ ଦେଇଛନ୍ତି । ତେବେ ବେସରକାରୀ ଲୋକଙ୍କୁ କିଏ ବର୍ଷ ବର୍ଷ ହେଲା ଅଫିସ୍ରେ ବେଆଇନ୍ ଭାବେ କାର୍ଯ୍ୟ କରିବାକୁ କହିଛି, ତାହା ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।