ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସଚିବ ବଲବନ୍ତ ସିଂହ ଓ ବାଣିଜ୍ୟ ଏବଂ ପରିବହନ ସଚିବ ଏନ୍.ଭି.ଏସ୍. ରାଜପୁତ ଚାନ୍ଦବାଲି ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଦୁଇ ସଚିବ ପ୍ରଥମେ ଆରଡ଼ିରେ ପହଂଚି ପ୍ରସିଦ୍ଧ ବାବା ଆଖଣ୍ଡଳମଣୀ ମନ୍ଦିରରେ ଚାଲୁଥିବା ପରିକ୍ରମା ପ୍ରକଳ୍ପ, ପାର୍କ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ପରେ ସେମାନେ ଚାନ୍ଦବାଲିରେ ପହଞ୍ଚି ନିର୍ମାଣାଧୀନ ମ୍ୟୁଜିୟମ ଓ ଜେଟ୍ଟି କାର୍ଯ୍ୟ ପରିଦର୍ଶନ କରିଥିଲେ।ଏଥିସହ ଚାନ୍ଦବାଲି ସହରରେ ଇକୋ ରିଟ୍ରିଟ ଓ ଇକୋ ଟୁରିଜିମ ପାର୍କ ନିର୍ମାଣ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ପର୍ଯ୍ୟଟନ ଭିତିଭୂମିର ବିକାଶ ମାଧ୍ୟମରେ ଚାନ୍ଦବାଲିକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ସରକାର ଯତ୍ନବାନ ଅଛନ୍ତି ବୋଲି ମତପ୍ରକାଶ ପାଇଥିଲା।ସଚିବମାନଙ୍କ ଏହି ଗସ୍ତ ସମୟରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଏନଏସି ଅଧିକାରୀ ଆବାସ ରଞ୍ଜନ ପାଣିଗ୍ରାହୀ, ବାଣିଜ୍ୟ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ଘଡେଇଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ।ଚାନ୍ଦବାଲି ସହରର ସାମଗ୍ରିକ ବିକାଶ ଓ ଏହାକୁ ଏକ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦାମାନେ ସ୍ୱାଗତ କରିଛନ୍ତି। ଏହି ପ୍ରୟାସ ପାଇଁ ସେମାନେ ରାଜ୍ୟ ସରକାର ଓ ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କୁ ସାଧୁବାଦ ଜଣାଇଛନ୍ତି।