Odiapua.com

ଚାନ୍ଦବାଲି କଲେଜ ରାସ୍ତାର ହାଲ ବେହାଲ, ଲୋକେ ହନ୍ତସନ୍ତ, ମେଗା ଜଳ ପ୍ରକଳ୍ପ ଠିକା ସଂସ୍ଥା ବିରୋଧରେ ଥାନାରେ ଏତଲା

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରୁ ଚାନ୍ଦବାଲି କଲେଜ ଆଡକୁ ଲମ୍ବିଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । କିଛିମାସ ପୂର୍ବରୁ ଉକ୍ତ ରାସ୍ତାର ମରାମତି ପୂର୍ତବିଭାଗ ପକ୍ଷରୁ କରାଯାଇଥିଲା । ମାତ୍ର ପରେ ପରେ ପାଳନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାର ଭାରିଯାନ ଚଳାଚଳ ରାସ୍ତାକୁ ଶୋଚନୀୟ କରି ଦେଇଛି । ପୂର୍ତବିଭାଗ ପକ୍ଷରୁ ମଧ୍ୟ ଉକ୍ତ ଠିକା ସଂସ୍ଥା ବିରୋଧରେ ଥାନାରେ ଏତଲା ଠାରୁ ଆରମ୍ଭ କରି ବିଭାଗୀୟ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ହେଲେ କିଛି ଲାଭ ହୋଇନାହିଁ । ଏପଟେ ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ହୀନସ୍ତା ଭୋଗୁଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । ପ୍ରକାଶଥାଉକି: ସ୍ଥାନୀୟ ହରଡ ଆଡିଆ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଛି । ଉକ୍ତ ପ୍ରକଳ୍ପ ନିର୍ମାଣ ଲାଗି ଭାରିଯାନ ଉକ୍ତ ରାସ୍ତାରେ ଚଳାଚଳ କରୁଛି । ରାସ୍ତାଟି ଗ୍ରାମ୍ୟ ରାସ୍ତା ହୋଇଥିବାରୁ ପ୍ରାରମ୍ଭରୁ ଭାରିଯାନ ଚଳାଚଳ ଲାଗି ଉପଯୋଗୀ ହୋଇନଥିଲା । ଏବେ ପ୍ରକଳ୍ପ ଲାଗି ଯାଉଥିବା ଭାରିଯାନ ରାସ୍ତାକୁ ଖରାପ କରିଦେଇଛି । ବର୍ଷାଦିନରେ ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇପଡିଛି । ଉକ୍ତ ରାସ୍ତା ଉପରେ ଚାନ୍ଦବାଲି ଏନଏସିର ଅର୍ଦ୍ଧାଧିକ ଅଂଚଳ ସମେତ ଭାଟପଡା ପଂଚାୟତ ଲୋକେ ଓ କଲେଜ ଛାତ୍ରଛାତ୍ରୀ ଯାତାୟତ ଲାଗି ନିର୍ଭର କରନ୍ତି । ତେବେ ଭାରିଯାନ ଚଳାଉଥିବା କମ୍ପାନୀ ରାସ୍ତାର ମରାମତି ଅଥବା ସ୍ଥାୟୀ ନିର୍ମାଣ ଦିଗରେ ସର୍ବନିମ୍ନ ତତ୍ପରତା ନଦେଖାଇବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି । ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥା ଉପରମହଲକୁ ହାତକରି ମନଇଚ୍ଛା ରାସ୍ତାକୁ କ୍ଷତି ପହଂଚାଉଛି ବୋଲି ଅଭିଯୋଗ ହୋଇଛି । ଅପରପକ୍ଷେ ପୂର୍ତବିଭାଗର ଅଫିସର ସିଦ୍ଧେଶ୍ୱର ବେହେରା କୁହନ୍ତି : ଭାରିଯାନ ଚଳାଇ ଉକ୍ତ ଠିକାସଂସ୍ଥା ଚାନ୍ଦବାଲି କଲେଜ ରାସ୍ତା ସମେତ ପୂର୍ତବିଭାଗର ଅନେକ ରାସ୍ତାକୁ କ୍ଷତି ପହଂଚାଇଛି । ଏବାବଦରେ ଆମେ ଗତ ଅଗଷ୍ଟ ମାସରୁ ଚାନ୍ଦବାଲି ଥାନା, ତିହିଡି ଥାନା ଓ ଗ୍ରାମାଞ୍ଚଳ ଥାନାରେ ରିପୋର୍ଟ କରିଛୁ । ଜଳଯେଗାଣ ବିଭାଗର ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଛୁ । କିନ୍ତୁ ଠିକାସଂସ୍ଥା ପକ୍ଷରୁ ଏଯାଏ କିଛି ପଦକ୍ଷେପ ନିଆଯାଉ ନାହିଁ ।