Odiapua.com

ଚାନ୍ଦବାଲିର ମୋହ ଛାଡି ପାରୁ ନାହାନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ, ବିଭାଗୀୟ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରି ବଦଳି କରିବାକୁ ଦାବୀ

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସରକାରଙ୍କ ଚଳନ୍ତି ନିର୍ଦ୍ଦେଶନାମାକୁ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ମାନୁ ନାହାନ୍ତି ।ଏହା ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ମନମାନୀରେ ଚାଲିଛି ଚାନ୍ଦବାଲି ଠାରେ ଥିବା ଗ୍ରାମ୍ୟ ଉନ୍ନୟନ ଅଫିସ । ପ୍ରଥମତଃ ଚାନ୍ଦବାଲି ଠାରେ ଗ୍ରାମ୍ୟ ଉନ୍ନୟନ ଅଫିସର ଉପଖଣ୍ଡ ଅଧିକାରୀଙ୍କ ଅଫିସ ଥିବା ବେଳେ ଏହି ଅପିସରେ ନିୟୋଜିତ ଉପଖଣ୍ଡ ଅଧିକାରି ଭଦ୍ରକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଠାରେ ନିଜସ୍ୱ ଅଫିସ ଚଳାଉଥିବା ଜଣାଯାଇଛି ।ଏହାର କାରଣ ଚାନ୍ଦବାଲିର ମୋହ ଛାଡି ପାରୁ ନାହାନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ, ଏ ନେଇ ଅଂଚଳବାସୀ ବହୁବାର ଭଦ୍ରକ ଠାରେ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ-୨ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କ ଠାରେ ଏହି ଅଭିଯୋଗ ଆଣିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଫଳ ଶୂନ । ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିକାରୀଙ୍କ ଅଧିନରେ ୨ଜଣ କନିଷ୍ଠଯନ୍ତ୍ରୀ ଅବସ୍ଥାପିତ ହୋଇଥିବା ବେଳେ ସେମାନଙ୍କୁ ସଂପୃକ୍ତ ବ୍ଲକର ୩୯ଟି ପଂଚାୟତର ଦାୟିତ୍ୱ ଦିଆ ଯାଇଛି ।ସେମାନଙ୍କ ମଧ୍ୟରୁ ଉତ୍ତମ ନାୟକ ଦୀର୍ଘ ୭ବର୍ଷ ହେବ ଚାନ୍ଦବାଲି ଅଫିସରେ କାର୍ଯ୍ୟରତ ରହିଥିବା ବେଳେ ପ୍ରଶାନ୍ତ କୁମାର ପୃଷ୍ଟି ଦୀର୍ଘ ୫ବର୍ଷ ହେବ ଅବସ୍ଥାପିତ । ସେହିପରି ଉପଖଣ୍ଡ ଅଧିକାରୀ ଅବିନାଶ ବାରିକ ଦୀର୍ଘ ୫ବର୍ଷ ହେବ ମଧ୍ୟ ଚାନ୍ଦବାଲି ଉପଖଣ୍ଡରେ ଅବସ୍ଥାପିତ । ସରକାରଙ୍କ ଚଳନ୍ତି ନିର୍ଦେଶନାମା ଅନୁଯାୟୀ କୌଣସି ଷ୍ଟାଫ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ରହି ପାରିବେ ନାହିଁ ମାତ୍ର କେଉଁ ପରିସ୍ଥିତିରେ ଏହି ଅଧିକାରୀ ମାନେ ଦୀର୍ଘ ୫ବର୍ଷରୁ ଉର୍ଦ୍ଧ ହେବ ନିଜର ମନମାନୀରେ ରାଜ କରି ଆସୁଛନ୍ତି ଏବଂ ତାହା ପୁଣି ଭଦ୍ରକ ଠାରେ ।

ଏହାର କାରନ ବୁଝିବାକୁ ଯାଇ ଉପଖଣ୍ଡ ଅଧିକାରୀ ଅବିନାଶ ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ । ପରେ ଭଦ୍ରକ ଠାରେ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ କରଣଙ୍କ ସହ ଯୋଗାଯୋଗ କରିବାରୁ ଏହି ବଦଳି ଆଦେଶ ସରକାରଙ୍କ ତରଫରୁ ହୋଇଥାଏ ଏବଂ ତାହା ତାଙ୍କ ପରିସୀମାର ବାହାରେ ବୋଲି କହିଥିଲେ । ଦୀର୍ଘ ବର୍ଷ ବର୍ଷ ଧରି କେଉଁ ପରିସ୍ଥିତିରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀ ନିଜର ପଦପଦବୀ ପାଇଁ ରାଜନୈତିକ ନେତୃବୃନ୍ଦଙ୍କ ସାହାରା ନେଇ ଅଥବା ବିଭାଗୀୟ ଅଧିକାରୀଙ୍କୁ ହାତବାରିସୀ କରି ରହି ଆସୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଅନ୍ୟ ପକ୍ଷରେ ଚାନ୍ଦବାଲି ଠାରେ କାହିଁକି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଫିସ ଠିକ ଭାବରେ କାର୍ଯ୍ୟ କରୁ ନାହିଁ ବୋଲି ପ୍ରଶ୍ନରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଷ୍ଟାଫ ଅଭାବ ବୋଲି ଦର୍ଶାଇ ପ୍ରଶ୍ନକୁ ଏଡାଇ ଯାଇଥିଲେ । ଚଳିତ ମାସ ଏହି ସମସ୍ତ ଅଭିଯୋଗ ଗ୍ରାମ୍ୟ ଉନ୍ନୟନ ବିଭାଗର ଶଚିବ ଙ୍କ ପାଖରେ ପହଂଚିବା ପରେ ସେ ଏକ ନିର୍ଦେଶନାମା ଜାରୀ କରିଛନ୍ତି ଏବଂ ଏହି ନିର୍ଦେଶନାମାରେ କୌଣସି ପରିସ୍ଥିତିରେ ୩ବର୍ଷ ପୂରଣ କରିଥିବା ଅଧିକାରୀ ସେହି ଜିଲ୍ଲାରେ ରହି ପାରିବେ ନାହିଁ ଏବଂ ସେମାନଙ୍କର ତାଲିକା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଶଚିବ ପ୍ରଦ୍ୱୀପ କୁମାର ଜେନାଙ୍କ ପାଖରେ ପହଂଚିବା ଜରୁରୀ । ଏହି ଆଦେଶନାମା ଅନୁଯାୟୀ ସେମାନଙ୍କ ର ତାଲିକା ପ୍ରସ୍ତୁତ ହୋଇ ବିଭାଗୀୟ ଶଚିବଙ୍କ ହସ୍ତଗତ ହୋଇଥିବା ବେଳେ ଆଗାମୀ ଦିନରେ ପୁନଶ୍ଚ ଏହି ଅଧିକାରୀ ମାନଙ୍କର ବଦଳି ହେବ ଅଥବା ରାଜନୈତିକ ନେତୃବୃନ୍ଦଙ୍କ ସାହାରା ନେଇ ପୁନଶ୍ଚ ନିଜର ମାଫିଆ ରାଜ ଚଳାଇ ସେହି ସ୍ଥାନରେ ପୂର୍ବବତ ରହିବେ ତାହା ପ୍ରତି ନଜର ଦେବାକୁ ସାଧାରଣରେ ଦାବୀ ହୋଇଛି । ଏହି ବଦଳି କାହିଁକି ହେଉ ନାହିଁ ଏବଂ ପ୍ରକୃତରେ ଏହାର କାରଣ କଣ ବୁଝିବାକୁ ଯାଇ ଅଧୀକ୍ଷଣଯନ୍ତ୍ରୀ ପ୍ରଶନ୍ନ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ତାହା ମଧ୍ୟ ସମ୍ଭବ ହୋଇ ପାରି ନଥିଲା ।