Odiapua.com

ଚାନ୍ଦବାଲିର ବିକାଶ : ଖଟିଆରେ ବୁହାହେଲେ ପାରାଲିସିସ୍ ରୋଗୀ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ପାରାଲିସିସ୍ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନଳଗୋହିରା ପଂଚାୟତର ନୂଆଗାଁରେ । ଗାଁର ନିତିଦିନିଆ ରାସ୍ତାଟି ବର୍ଷାପାଣିରେ ଆଣ୍ଠୁଏ କାଦୁଅରେ ପରିଣତ । ଗ୍ରାମର ଶତାଧିକ ଲୋକେ ଏହି କାଦୁଅପୂର୍ଣ୍ଣ ରାସ୍ତାରେ ଯିବାଆସିବା କରୁଥିବାବେଳେ ରୋଗୀଙ୍କ ପାଇଁ ଖଟିଆ ହିଁ ଏକମାତ୍ର ବିକଳ୍ପ । ଯେଉଁଠି ମୋଟର ସାଇକେଲ୍ ଠିକ୍ ସେ ଯାଇପାରୁନାହିଁ, ସେଠି ଆମ୍ବୁଲାନ୍ସ କଥା ପଚାରେ କିଏ! ସୂଚନାରୁ ଜଣାଯାଏ ଗତକାଲି ବିଳମ୍ବିତ ରାତିରେ ନୂଆଗାଁର ନବଘନ ରାଉତଙ୍କ ସ୍ତ୍ରୀ ଶାନ୍ତିଲତାଙ୍କୁ ପାରାଲିସିସ୍ ରୋଗ ଆକ୍ରାନ୍ତ କରିବାରୁ ପରିବାର ଲୋକେ ପ୍ରାୟ ୫ କିଲୋମିଟର ଖଟିଆରେ ବୁହାହୋଇ ମୁଖ୍ୟ ରାସ୍ତାକୁ ଆସିବା ପରେ ଏକ ଘରୋଇ ଗାଡିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।