Odiapua.com

ଚାନ୍ଦବାଲିରେ ଭୟଭୀତ ଅବସ୍ଥାରେ ତଳିଆ ଅଂଚଳବାସୀ , ଅଧିକାଂଶ ହୋଇନାହାଁନ୍ତି ସ୍ଥାନାନ୍ତର

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମୁଦ୍ରିକ ବାତ୍ୟା ୟସ୍ ଆଜି ଅବପାତର ରୂପ ନେଇଛି । ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି ବ୍ଲକ୍ ସମେତ ଭଦ୍ରକର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ସମୁଦ୍ର ଉପକୂଳବର୍ତ୍ତୀ ନଦୀକୂଳିଆ ଗ୍ରାମରେ ବସବାସ କରୁଥିବା ଲୋକମାନେ ଏହି ବାତ୍ୟାର ରୂପରେଖ ନେଇ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ, ଉଚ୍ଚା ସ୍ଥାନଗୁଡିକୁ ସ୍ଥାନାନ୍ତରିତ କରାଯାଉଥିଲେ ମଧ୍ୟ ବହୁ ଲୋକ କରୋନା ଜନିତ ଭୟ ଓ ସେଠାରେ ପାନୀୟ ଜଳ ଓ ଖାଦ୍ୟର ଅଭାବ ଦର୍ଶାଇ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବାର ଦେଖାଯାଇଛି । ତେବେ ଅଧିକ ପବନ ହେଲେ ସେମାନେ ବାଧ୍ୟ ହୋଇ ସେଠାକୁ ଯିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏହି ବାତ୍ୟା କରାଳ ରୂପ ଧାରଣ କଲେ ନିଶ୍ଚିତ ଭାବେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଦ୍ୟାବଧି ପ୍ରାୟ ୮୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ବହୁ ରୋଗୀ ଓ ବୃଦ୍ଧା-ବୃଦ୍ଧଙ୍କୁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସାଙ୍ଗୀ ମାଧ୍ୟମରେ ଉଚ୍ଚା ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ସବୁଠାରୁ ଦୁଃଖର ବିଷୟ ସ୍ୱାଧୀନତାର ୭୫ ବର୍ଷ ପରେ ବି ତଳିଆ ଅଂଚଳ ଗୁଡିକର ଗମନାଗମନର ସୁବିଧା ନଥିବାରୁ କର୍ଦ୍ଦମାକ୍ତ ରାସ୍ତା ଓ ପାଣିରେ ପଶି ପୁଲିସ୍ ମାନେ ସେମାନଙ୍କୁ ଉଦ୍ଧାର କରିଚାଲିଛନ୍ତି । ଏବେ ଧାମରା ଠାରେ ୟସର ବେଗ୍ କମ୍ରଶଃ ବୃଦ୍ଧି ପାଇ ୫୦ ରୁ ୬୦ କିମି ବେଗରେ ପବନ ବୋହିବା ଆରମ୍ଭ କରିଛି । ଏଥିସହ ବର୍ଷା ମଧ୍ୟ ଲାଗିରହିଛି । ଏହାର ବେଗ ଆଜି ମଧ୍ୟରାତ୍ର ସୁଦ୍ଧା ବୃଦ୍ଧି ପାଇଁ ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି । ଏହାର ପ୍ରଭାବରେ ଧାମରା, ଚାନ୍ଦବାଲି, ବାସୁଦେବପୁରରେ ପ୍ରବଳ କ୍ଷୟକ୍ଷତି ହେବାର ସମ୍ଭାବନା ଥିବାବେଳେ ଅନ୍ୟ ସ୍ଥାନଗୁଡିକରେ ମଧ୍ୟ ଏହାର ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସାମୁଦ୍ରିକ ବାତ୍ୟା ୟସ୍ ପାଇଁ ସମସ୍ତ ଜନସାଧାରଣଙ୍କୁ ଉଚ୍ଚା ଓ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଉଛି । ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଲୋକଙ୍କ ସମସ୍ୟା ବୁଝିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ôଚ ତଳିଆ ଅଂଚଳ ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା ପ୍ରକ୍ରିୟାର ତଦାରଖ କରିବା ସହିତ ଲୋକଙ୍କ ସୁରକ୍ଷାକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପୁଲିସ୍ ଟିମ୍‌କୁ କାର୍ଯ୍ୟରେ ଲଗାଇଛନ୍ତି ।