Odiapua.com

ଚାକିରୀ କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକାଇ, ଠକ ଗିରଫ

ମାଲକାନଗିରି, ୨୫/୬ (ଓଡ଼ିଆ ପୁଅ) ରେଳବାଇ ଓ ଅନ୍ୟାନ୍ୟ ବିଭାଗରେ ଚାକିରୀ କରାଇ ଦେବା ନାମରେ ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ କିଛି ନୀରିହ ଆଦିବାସୀ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା ଠକକୁ ଆଜି ମାଥିଲି ଥାନା ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ ଗତ କିଛିମାସ ତଳେ ମାଥିଲି ଥାନାସ୍ଥ ଭଲଦିଅଗୁଡା ଓ ଅନ୍ୟାନ୍ୟ ଅଞ୍ଚଳର କିଛି ଯୁବକଙ୍କ ନିକଟକୁ ଅଜଣା ନମ୍ୱରରୁ ଫୋନ ଆସିଥିଲା, ରେଳବାଇ ଓ ଅନ୍ୟାନ୍ୟ ବିଭାଗରେ ଚାକିରୀ ଖାଲି ଅଛି ସେମାନେ ଚାହିଁଲେ ସେ ଚକିରୀ କରାଇ ଦେବ ବୋଲି ଲୋଭ ଦେଖାଇ ଥିଲା। ନାନାପ୍ରକାର ପ୍ରଲୋଭନ ଦେଖାଇ କ୍ରମାନୁସାରେ ସେମାନଙ୍କ ନିକଟରୁ ୨୯ ଲକ୍ଷ ୧୨ ହଜାର ୫୦୦ ଟଙ୍କା ଠକି ନେଇ ମୋବାଇଲ ସୁଇଛ ଅପ କରିଦେଇ ଆଉ ଧରାଛୁଆଁ ଦେଇ ନଥିଲା।

ଏସମ୍ପର୍କରେ ଠକାମିର ଶିକାର ହୋଇଥିବା ଯୁବକ ମାନେ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ, ପୁଲିସ ସାଇବର କ୍ରାଇମ କେସ କରି ତଦନ୍ତ ଆରମ୍ଭ କରିଦେଇଥିଲେ, ମାଥିଲି ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରା ଯାଇଥିଲା, ଠକ ମୋବାଇଲ ଫୋନ ଟ୍ରାକ କରି ଜାଣି ପାରିଥିଲେ ସେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ ରହୁଛି, ସେଠାକୁ ମାଲକନଗିରି ଜିଲ୍ଲାରୁ ଏକ ପୁଲିସ ଟିମ ଯାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ସ୍ମୃତି ଶେଖର ଜେନା (୩୨)ଙ୍କୁ ଜଗତସିଂହପୁରରୁ ଗିରଫ କରି ମାଥିଲି ଥାନାକୁ ଆଣିଛି ପୋଲିସ।

ଅଭିଯୁକ୍ତ ଜଣକ ମେକାନିକାଲ ଇଂଜିନିୟର, ୪ ମାସ ତଳେ ମାଥିଲି ଥାନାରେ ଜଣେ ଯୁବକ ତାଙ୍କ ନାମରେ ଅଭିଯୋଗ କରିଥିଲେ। ତେବେ ସେ ଅନ୍ୟମାନଙ୍କ ଠାରୁ ମଧ୍ୟ ଆହୁରି ଅଧିକ ଟଙ୍କା ଠକେଇ କରିଥିବା ସାମ୍ନା କୁ ଆସୁଛି। ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଓ ଗୋଟିଏ ସୁନା ମୁଦି ଜବତ କରାଯାଇଛି, ଅଭିଯୁକ୍ତ ସ୍ମୃତି ଶେଖର ଜେନାକୁ ଆଜି କୋର୍ଟଚାଲାଣ କରାଯାଇ ଏସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ମାଲକାନଗିରି ଏସପି ନିତେଶ ୱାଧନୀ ଏକ ପ୍ରେସ ନୋଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି କେହି ଯୁବକ ଚାକିରୀ ମିଳିବା ଆଶାରେ ଅନଲାଇନ ମାଧ୍ୟମରେ କାହାରିକୁ ଟଙ୍କା ପଠାନ୍ତୁ ନାହିଁ, ସେପରି ଫୋନ ଆସୁଥିଲେ ତୁରନ୍ତ ନିକଟସ୍ଥ ପୁଲିସ ଥାନାରେ ଜଣାନ୍ତୁ।