Odiapua.com

ଚାଉଳ ଗାଡି ଅଟକ ଘଟଣା…ତଦନ୍ତରେ ଆସୁଛି ସାଂଘାତିକ ସତ୍ୟ

ଚାଉଳ ଗାଡି ଅଟକ ଘଟଣା…
ତଦନ୍ତରେ ଆସୁଛି ସାଂଘାତିକ ସତ୍ୟ
ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରଙ୍କଦେଉଳି ପଂଚାୟତର ଖଉଟି ସାମଗ୍ରୀ ଚାଉଳ ଗାଡି ଜବତ ହେବା ପରେ ସାଂଘାତିକ ତଥ୍ୟ ପଦାକୁ ଆସିବାରେ ଲାଗିଛି । କିଭଳି ଭାବରେ ମୂଳ ଚାଉଳକୁ ପୁନଃ ପ୍ରକ୍ରିୟାକରଣ କରାଯାଇ କାର୍ଯ୍ୟରେ ଲଗାଯାଉଛି । ମିଲର୍ ଠାରୁ ଆସୁଥିବା ଖାଉଟି ଚାଉଳ ପୁଣି କିଭଳି ମିଲର୍ ନିକଟକୁ ଚାଲିଯାଉଛି । ଘଟଣାରୁ ପ୍ରକାଶ ମେ ୨୪ ତାରିଖରେ ରଙ୍କଦେଉଳିର ପ୍ରଫୁଲ ନାୟକ ଓ ଅନ୍ୟ ମାନେ ଡମସାହି ପଂଚାୟତ ତଲାରିବନ୍ଧ ଛକ ରାସ୍ତାରୁ ଏକ ଚାଉଳ ବୋଝେଇ ମିନି ଟ୍ରକକୁ ସନ୍ଦେହରେ ଅଟକାଇ ଦର୍ପନାରାୟଣପୁର ଫାଣ୍ଡି ପୋଲିସ ଜିମା ଦେଇଥିଲେ । ଯେଉଁ ମିନି ଟ୍ରକ ଏବେ ରଣପୁର ଥାନାରେ ରହିଅଛି । ୭୦ ରୁ ୮୦ କୁଇଂଟାଲ ଚାଉଳ ଗାଡିରେ ରହିଥିବା ଅନୁମାନ କରାଯାଏ । ଏ ସଂପର୍କେ ପ୍ରଫୂଲ କୁମାର ନାୟକ ରଣପୁର ଥାନାରେ ଏହା ସରକାରୀ ଖାଉଟି ଚାଉଳ ଚୋରା ଚାଲାଣ ହଉଥିଲା ବୋଲି ଅଭିଯୋଗ କରିଛନ୍ତି । ଏ ସଂପର୍କେ ରଣପୁର ଥାନା ଆରକ୍ଷୀ ନିରୀକ୍ଷକ ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଅଟକ ଚାଉଳ ଗାଡି ପାଇଁ ୨ ଗୋଟି ଅଭିଯୋଗ ହୋଇଅଛି । ପ୍ରଫୁଲ ନାୟକଙ୍କ ଅଭିଯୋଗ ଅନୁଯାୟୀ ଏହା ରଙ୍କଦେଉଳି ଖାଉଟି ସାମଗ୍ରୀ ଯୋଗାଉଥିବା ଡିଲର ତ୍ରିନାଥ ସାହୁଙ୍କର କି ନାହିଁ ସେ ସଂପର୍କେ ରଣଫୁର ବ୍ଲକ ଯୋଗାଣ ବିଭାଗ କୁ ତଥ୍ୟ ମଗାଯାଇ ନୟାଗଡ ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଯାଇଅଛି ।

ଏ ପର୍ଯ୍ୟନ୍ତ ତଥ୍ୟ ମିଳିନାହିଁ । ଅନ୍ୟପଟେ ମିନି ଟ୍ରକ ମାଲିକ ଲିଖିତ ଅଭିଯୋଗ କରିଛନ୍ତି ଯେ, ଆମ୍ଭେ ମେ ୨୩ ତାରିଖ ସନ୍ଧ୍ୟାରେ ରାଜସୁନାଖଳା ଶୁଭଲକ୍ଷ୍ମୀ ରାଇସ ମିଲ୍ ରୁ ଚାଉଳ କିଣି ଗୋଡିପଡାରେ ବ୍ୟବସାୟ ପାଇଁ ନେଉଥିଲୁ । ଆମ୍ଭ ଚାଉଳ ଆମ୍ଭକୁ ଫେରାଯାଉ କହି ଶୁଭଲକ୍ଷ୍ମୀ ରାଇସ ମିଲ୍ ରୁ ଆଣିଥିବା କାଗଜାତ ଥାନାରେ ଜିମା ଦେଇଛନ୍ତି । ତେଣୁ ଗୋଟିଏ ମାମଲାରେ ଦୁଇ ଦୁଇ ଟି ଅଭିଯୋଗ ପାଇ ଯୋଗାଣ ବିଭାଗ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏ ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ । ମିନି ଟ୍ରକ ଡ୍ରାଇଭରକୁ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଜାମିନ ପ୍ରଦାନ କରାଯାଇଛି । ଏ ସଂପର୍କେ ରଣପୁର ବ୍ଲକ ଯୋଗାଣ ବିଭାଗ ଅଧିକାରିଣୀ ଅନୀତା ରାଉତରାୟଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ, ଅଭିଯୁକ୍ତ ଡିଲର ତ୍ରିନାଥ ସାହୁଙ୍କର ଉକ୍ତ ଦିନର କାଗଜପତ୍ର ସହ ଗଚ୍ଛିତ ଥିବା ସାମଗ୍ରୀ ସମାନ ଥିବା ବେଳେ କେବଳ ଚାଉଳ ୩ ପ୍ୟାକେଟ ଅଧିକ ରହିଅଛି । ଯାହାକି ଆମ୍ଭେ ଯୋଗାଣ ବିଭାଗ ଜିଲ୍ଲା ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଇଅଛୁ । ଜବତ ଚାଉଳ ଗୁଡିକ ସରକାରୀ ଅଖାବସ୍ତାରେ ନାହିଁ । ତେଣୁ ଆମ୍ଭେ ତାହା ସରକାରୀ ଚାଉଳ ବୋଲି କହିପାରୁନାହୁଁ । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଆସି ଚାଉଳକୁ ତନଖି  କଲେ ପ୍ରକୃତ ଘଟଣା ଜଣାପଡିବ । ଅପରପକ୍ଷେ  ଶୁଭଲକ୍ଷ୍ମୀ ରାଇସ ମିଲ୍‌ର ମାଲିକ ସର୍ବେଶ୍ୱର ସାହୁ ଙ୍କୁ ଉକ୍ତ ଚାଉଳ ବୋଝେଇ ମିନି ଟ୍ରକ ସଂପର୍କରେ  ଯୋଗାଯୋଗ କରିବାରେ କୁହନ୍ତି ସେ ମିନିଟ୍ରକ ଆମ୍ଭ ମିଲ ଭିତରକୁ ସେ ଦିନ ଆସିନାହିଁ କି ଆମ୍ଭେ ସେଭଳି ଲୋକଙ୍କୁ ସେ ଦିନ ଚାଉଳ ବିକ୍ରୟ କରିନାହୁଁ । ଆମ୍ଭ ମିଲରେ ଲାଗିଥିବା ସି.ସି. ଟିଭି ଫୋଟେଜ୍ ତାର ପ୍ରମାଣ ଦେବ । ଆମ୍ଭ ନାମରେ ସେ ରଣପୁର ଥାନାରେ ଜାଲ କାଗଜପତ୍ର ଦାଖଲ କରିଛନ୍ତି । ପୋଲିସ ଉପଯୁକ୍ତ ତଦନ୍ତ  କଲେ ଜାଣିପାରିବ ସରକାରୀ ଖାଉଟି ଚାଉଳ କିଭଳି ପ୍ୟାକିଂ ବସ୍ତା ବଦଳାଯାଇ ପୁଣି ଥରେ ମିଲରଙ୍କ ନିକଟକୁ ଚାଲିଯାଉଛି । ଏହିଭଳି ସାଂଘାତିକ ସତ୍ୟ ପଦାକୁ ଆସୁôôଥିବା ବେଳେ ରଣପୁରବାସୀ ସତ୍ୟର ପରିପ୍ରକାଶ ଅପେକ୍ଷାରେ ।