Odiapua.com

ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ନନ୍ଦିଘୋଷ – ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତିକୁ ସମସ୍ତେ ମାନିବେ – ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପରେ କିପରି ମହାପ୍ରଭୁ ଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ – ଗଜପତି

ପୁରୀ, ୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେବାକୁ ଆଉ ମାତ୍ର ୪ଦିନ ରହିଥିବା ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି କହିଛନ୍ତି ଯେ, ଚଳିତ ବର୍ଷ ରଥଯାତ୍ରା ହେଇପାରିବ ନାହିଁ। ଏହି ଖବର ସମସ୍ତ ଙ୍କ ପାଖରେ ପହଂଚିବା ପରେ ସମସ୍ତେ ମର୍ମାହତ ହୋଇପଡଛନ୍ତି। ବିନା ଭକ୍ତରେ ଯେପରି ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଲା ସେହିପରି ରଥଯାତ୍ରା ମଧ୍ୟ ହୋଇଥାନ୍ତା ବୋଲି ସମସ୍ତଙ୍କର ଆଶା ରହିଥିଲା। କିନ୍ତୁ ଆଜି ଏହି ରାୟ ଶୁଣିବା ପରେ ରଥଯାତ୍ରା ହେବ ନାହିଁ ବୋଲି ନିଶ୍ଚିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ଯେଉଁ ଆଶା ଆଶଙ୍କା ରହିଥିଲା ତାର ମଧ୍ୟ ପରିସମାପ୍ତି ଘଟିଛି। କୋଟି କୋଟି ହିନ୍ଦୁ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ଙ୍କର ରଥଯାତ୍ରା ହୋଇପାରିବା ନାହିଁ ତାହା ସମସ୍ତଙ୍କ ମନରେ ଏକ ବିଶାଦ ର ଛାୟା ଖେଳାଇଦେଇଛି। ରଥ ପଥ ସବୁ ଠିକ୍ ଥିବା ବେଳେ କିନ୍ତୁ ରଥଚକ ଗଡିବ ନାହିଁ। ଆସନ୍ତା କାଲି ସୁଦ୍ଧା ରଥନିର୍ମାଣ ସଂପୂର୍ଣ୍ଣ ଶେଷ ହୋଇଯିବ ବୋଲି ବିଶ୍ୱକ୍ରମା ମାନେ ଆଶାବ୍ୟକ୍ତ କରିଥିଲେ। ସମସ୍ତିଙ୍କର ଆଶା ଆଶା ରେ ହିଁ ରହିଗଲା। ସେହି ଲୀଳାମୟ, ଇଛାମୟ ଠାକୁର ଯଦି ଇଛା କରନ୍ତି ତେବେ ବଡଦାଣ୍ଡରେ ତାଙ୍କ ରଥ ଚକ ଗଡିବ। ଅନବସର ରେ ପୀଡୀତ ହୋଇ ମହାପ୍ରଭୁ ମାନେ ଗତକାଲି ସୁସ୍ଥ ହୋଇଥିଲେ। ଆଜି ଦୈତାପତି ସେବାୟତ ମାନେ ମହାପ୍ରଭୁ ଙ୍କର ସୁସ୍ଥ ହୋଇଥିବା ଖବର ଗଜପତି ମହାରାଜା ଙ୍କୁ ଦେବା ପାଇଁ ଶ୍ରୀ ନଅର କୁ ଯାଇଥିଲେ। ସକାଳ ଧୂପ ସରିବା ପରେ ଜୟ ବିଜୟ ଦୁଆର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟିବା ସହ ଶ୍ରୀ ମନ୍ଦିର ରୁ ଶ୍ରୀ ନଅର କୁ ରାଜପ୍ରସାଦ ବିଜେ କରାଯିବ। ଦୈତାପତି ସେବାୟତ ପତି ମହାପାତ୍ର ସମସ୍ତେ ଏକ ଶୋଭାଯାତ୍ରା ରେ ଶ୍ରୀ ନଅର କୁ ଯାଇ ଗଜପତି ମହାରାଜା ଙ୍କୁ ମହାପ୍ରଭୁ ଙ୍କର ସୁସ୍ଥ ହେବା ଖବର ଦେବା ସହ ଶ୍ରୀ ଜିଉ ଙ୍କ ପ୍ରସାଦ ରୂପେ କରାଳ ଚନ୍ଦନ ଓ ପାଟବସ୍ତ୍ର ଆଦି ଏକ ରୂପା ଥାଳି ରେ ନେଇ ଶ୍ରୀ ନଅର କୁ ଯାତ୍ରା କରିଥିଲେ। ଗଜପତି ମହାରାଜା ତଥା ମହାପ୍ରଭୁ ଙ୍କ ମୁଖ୍ୟ ସେବକ ମହାପ୍ରଭୁ ଙ୍କର ସୁସ୍ଥ ହେବା ଖବର ଜାଣିବା ସହ ଦୈତାପତି ମାନଙ୍କ ସହ ଆଲୋଚନା କରିଥିଲେ। ଗଜପତି ମହାରାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ର ନିଷ୍ପତି କୁ ସମସ୍ତେ ମାନିବେ। ଏହା ପରେ ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଠକ ରେ ଆଲୋଚନା କରାଯିବା ସହ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପରେ କିପରି ମହାପ୍ରଭୁ ଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ସେ ସଂପର୍କରେ ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ।