Odiapua.com

ଚଳିତବର୍ଷ ଜୟପୁର ମାଲକାନଗିରି ଭଦ୍ରାଚଳମ ରେଳପଥ ପାଇଁ ଜମି ଅଧିଗ୍ରହଣ ହେବ, ପ୍ରତିଗାଁରେ ୪ଜି ନେଟୱର୍କ ପହଁଚିବ – ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ମାଲକାନଗିରି, ୨୨/୪ (ଓଡ଼ିଆ ପୁଅ) ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ପ୍ରସ୍ତାବିତ ଜୟପୁର ମାଲକାନଗିରି ନୂତନ ରେଳପଥ ଜମିଅଧିଗ୍ରହଣ କାର୍ଯ୍ୟ ଶେଷ ହେବ। ମାଲକାନଗିରି ଠାରୁ ଭଦ୍ରାଚଳମକୁ ରେଳପଥ ସଂଯୋଗୀ କରଣ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଜୟପୁର ଭାୟା ମାଲକାନଗିରି ହୋଇ ଭଦ୍ରାଚଳମକୁ ଆସନ୍ତା କିଛି ବର୍ଷ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଯିବ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସମସ୍ତ ଗ୍ରାମରେ ଖୁବ ଶୀଘ୍ର ୪ଜି ନେଟୱର୍କ ପହଁଚିବ। କେନ୍ଦ୍ରସରକାରଙ୍କ ବି ବିଭିନ୍ନ ଉନ୍ନୟନମୂଳକ ଯୋଜନା ଜିଲ୍ଲାବାସୀ ଯେପରି ଠିକ ଭାବେ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଜିଲ୍ଲା ମୁଖ୍ୟ ଡାକଘରେ ରେଳ ଅଗ୍ରୀମ ଟିକେଟ କାଉଣ୍ଟର ସହ ୨୨ ପ୍ରକାର ସୁବିଧା ଗ୍ରାହକମାନେ ପାଇ ପାରିବେ ବୋଲି ଆଜି ମାଲକାନଗିରି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ରେଳ, ଯୋଗାଯୋଗ, ଇଲକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତରେ ଆସି ଶାଳପଡା, ବୌଦ୍ଧ ଜିଲ୍ଲା ମନମୁଣ୍ଡା, ବାଲେଶ୍ୱର ଜିଲ୍ଲା ଗୋପାଳ ପୁର ଉପ ଡ଼ାକଘର ନିଜସ୍ୱ ବିଲ୍ଡିଂ ଲୋକାର୍ପିତ କରିଥିଲେ। ଜିଲ୍ଲା ଡାକଘରେ ୨୨ପ୍ରକାର ସୁବିଧା ସହ ବ୍ୟାଙ୍କ ପରି ଏହା କର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶା ମୁଖ୍ୟମହା ଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁ, ବିଶାଖାପାଟଣା ରେଲୱେ ଡିଭିଜିନାଲ ମ୍ୟାନେଜର ଅନୁପ କୁମାର ଶତପଥୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ମନ୍ତ୍ରୀଙ୍କୁ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ନୃତ୍ୟ ମାଧ୍ୟମରେ ସଭାସ୍ଥଳକୁ ଭାଜପା କର୍ମୀମାନେ ପାଛୋଟି ନେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଲକାନଗିରି ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏହି ସମୟରେ ସେ ଜୟପୁର- ମାଲକାନଗିରି-ଭଦ୍ରାଚଳମ୍ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ଆଗ୍ରଗତିର ସମିକ୍ଷା କରିଥିଲେ। ୨୦୨୧ ମସିହାରେ ୧୭୩.୪୧୬ କିମି ଲାଇନ୍ କୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଯାହାର ଆନୁମାନିକ ମୁଲ୍ୟ ୨୮୦୦ କୋଟି। ଏହି ପ୍ରକଳ୍ପରେ ଓଡ଼ିଶାରେ ୬ଟି ଷ୍ଟେସନ୍ ନିର୍ମାଣ କରାଯିବ। ଏହି କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ସର୍ଭେକୁ ଜୋରଦାର କରାଯାଇଛି। ସର୍ଭେପାଇଁ ଆନୁମାନିକ ମୁଲ୍ୟ ୩୦୭.୬୪ କୋଟି ଟଙ୍କା ଗତ ଜାନୁଆରୀରେ ମଞ୍ଜୁର କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ଯେ, ଯଦି ଜମି ଅଧିଗ୍ରହଣ ଖୁବ୍ ଶିଘ୍ର ଶେଷ ହୋଇଯାଏ। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ରେଳ ଲାଇନ କାର୍ଯ୍ୟ ଆରମ୍ଭ ହୋଇଯିବ।

କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ରାଜ୍ୟ ଡାକ ବିଭାଗର ମୁଖ୍ୟ ଅଧିକାରୀ, ପୂର୍ବତନ ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ବୀର ସେନ ପ୍ରଧାନ, ଉପଜିଲ୍ଲାପାଳ ଅଖୟ କୁମାର ଖେମୁଣ୍ଡୁ, ଡିଆରଡିଏ ପିଡ଼ି ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ସସ୍କୃତି ଭବନ ଠାରେ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏହାପରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାର ସ୍ଥିତି ପରଖିଥିଲେ।