ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ଘଟଣା ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢୁଛି, ମୃତ ହାପିର ହତ୍ୟା ଜନିତ ତଥ୍ୟ ସେତେ ବଢ଼ିବାରେ ଲାଗିଛି। ଏପରିକି ତଦନ୍ତର ଅଗ୍ରସର ଜନିତ ସବିଶେଷ ପ୍ରକ୍ରିୟା ପରଖିବା ପାଇଁ ଆଜି ଭଦ୍ରକ ଏସପି ମନୋଜ ରାଉତ ପ୍ରଥମେ ଧୁଷୁରୀ ଥାନାରେ ପହଂଚି ପରେ ଧାମନଗର ଏସଡିପିଓ ବିଷ୍ଣୁ ଚରଣ ବାରିକ ଓ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସହ ଆଲୋଚନା କରିଛନ୍ତି । ପରେ ଷାଠିବାଙ୍କୁଡା ଗାଁରେ ପହଂଚି ହାପିର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନକୁ ଯାଇ ସାଇଂଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ଜବତ ହୋଇଥିବା ଜିନିଷ ଓ ସ୍ଥାନ ବୁଲି ଦେଖିବା ସହ ହାପିର ମୃତଦେହ ଉଦ୍ଧାର ସମୟରେ ପ୍ରତ୍ୟକ୍ଷଦର୍ଶୀ ଓ ତା’ ଭାଇର ବୟାନ ନେଇ ଫେରିଛନ୍ତି। ଗତକାଲି ହାପି ହତ୍ୟାକାଣ୍ଡର ସନ୍ଦେହ ଘେରକୁ ଆସିଥିବା ଛୁଂଚା ପଲାଇ, ମୁନା ପଲାଇ, ସ୍ୱୟମ ପଲାଇ ଙ୍କୁ ଧୁଷୁରୀ ଥାନା ପୁଲିସ ଘରୁ ଉଠାଇ ନେଇ ଦିନ ତମାମ ଜେରା କରିବା ପରେ ଆଜି (ରବିବାର) ଆଉ ୨ଜଣଙ୍କୁ ଅର୍ଥାତ୍ ଛୁଂଚା ପଲାଇର ଝିଅ ଓ ସ୍ତ୍ରୀକୁ ଯାଜପୁର ଅଂଚଳରୁ ଧୁଷୁରୀ ଥାନା ପୁଲିସ ଠାବ କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ତଦନ୍ତ ସମୟରେ ଭଦ୍ରକ ଏସପି ଶ୍ରୀ ରାଉତ ସ୍ଥାନୀୟ ପୁଲିସ ଅର୍ଥାତ୍ ଆରଡି ଫାଣ୍ଡି ଅଧିକାରୀଙ୍କ ଭୂମିକାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଧୁଷୁରୀ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଥାନାରେ ଜଣ ଜଣ କରି ଅଟକ ସମସ୍ତଙ୍କୁ ଜେରା କରିବା ସହ ଦୀର୍ଘ ୫/୬ଘଂଟା ଧରି ପଚରାଉଚରା ଜାରି ରଖିଛି ପୁଲିସ। ଏପଟେ ଘଟଣାସ୍ଥଳରେ ପୁଲିସର ଉଚ୍ଚପ୍ରଦାଧିକାରୀ ପହଂଚି ହାପିର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ବୁଲି ଦେଖିବା ସହ ଗାଁ ଲୋକଙ୍କ ଠାରୁ ଘଟଣା ବାବଦରେ ପଚାରି ବୁଝିଥିଲେ। ଗତ ଶନିବାର ହାପିର ୨ଭଉଣୀଙ୍କର ଜମାନବନ୍ଦି ପାଇଁ ପୁଲିସ ଥାନାକୁ ନେଇଥିବା ହାପିର ମା ପ୍ରକାଶ କରିଛନ୍ତି। ଘଟଣା ସର୍ମ୍ପକରେ ଭଦ୍ରକ ଏସପି ଶ୍ରୀ ରାଉତ କହିଛନ୍ତି, ହାପି ମୃତ୍ୟୁର ବ୍ୟବହୃତ ହୋଇଥିବା ଅନେକ ଜିନିଷକୁ ପରିବାର ଲୋକ ପୋଡ଼ି ଦେଇଥିବା ବେଳେ ଆରମ୍ଭରୁ ପୁଲିସକୁ ନ ଜଣାଇବା ଏବଂ ମେଡିକାଲ ରିପୋର୍ଟ ନଥିବାରୁ ବହୁ ତଥ୍ୟ ଖୋଜି ବାହାର କରିବାକୁ ପଡିବ। ତେଣୁ ଏହି ଘଟଣା ଯଦିଓ ବହୁ ତଥ୍ୟ ନଷ୍ଟ ହୋଇଛି, ତେବେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବାରୁ ଖୁବଶୀଘ୍ର ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ରାଉତ ଗଣମାଧ୍ୟମକୁ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ୧୭ ତାରିଖ ମଧ୍ୟାହ୍ନ ସମୟରେ ହାପି ମହାକୁଡ଼କୁ ଫୋନ୍ ଯୋଗେ ଛୁଂଚା ପଲାଇ, ମୁନା ପଲାଇ ଓ ସ୍ୱୟମ ପଲାଇ ଘରକୁ ଏକ ଜରୁରୀ କଥାବାର୍ତା ପାଇଁ ଡାକିଥିଲେ। କିଛି ଘଂଟା ପରେ ହାପିର ପରିବାର ମା ଓ ଭଉଣୀ ଜାଣିବାକୁ ପାଇଥିଲେକି ମୁନା ପଲାଇର ବାଡ଼ିରେ ହାପି କୈଣସି କାରଣରୁ ଫାସି ଦେଇ ଆତ୍ମହତ୍ୟା କରିଛି। ଅନ୍ୟପଟେ ହାପିର ମୃତ୍ୟୁକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିବା ସହ ଗାଁ ଲୋକ ଓ ମୁରବୀଙ୍କ ସହାୟତା ଲୋଡ଼ିଥିଲେ। ମୃତର ୪ଦିନ ପରେ ହାପି ମୋବାଇଲରୁ ମୃତ୍ୟୁର ରହସ୍ୟ ଖୋଲିଥିଲା। ଯାହାକି ହାପିର ଭାଇ ଓ ପରିବାର ଲୋକ ଗାଁ ଲୋକଙ୍କୁ ସମସ୍ତ କଥା ଜଣାଇବା ପରେ ହାପିକୁ ଚକ୍ରାନ୍ତ ଭାବେ ଘରୁ ଡାକି ନେଇ ମୁନା ପଲାଇ, ଛୁଂଚା ପଲାଇ ଓ ସ୍ୱୟମ ପଲାଇ ହତ୍ୟା କରିଥିବା ମୋବାଇଲ ମେସେଜରୁ ଜାଣିବାକୁ ପାଇଥିଲେ । ଏପରିକି ଗାଁ ଲୋକଙ୍କ ସହ ହାପିର ଭାଇ ଓ ମା ଆରଡି ଫାଣ୍ଡିକୁ ଗତ ୨୧ତାରିଖରେ ଅଭିଯୋଗ କରିବା ପାଇଁ ଆସିଥିଲେ। ସେଠାରେ ଫାଣ୍ଡି ଅଧିକାରୀ ଆଇନଗତ ଧମକ ଦେବା ସହ ଅଭିଯୋଗ ଶୁଣି ନଥିଲେ। ପରେ ଗତ ୨୫ରେ ଗାଁର ୨ଶହରୁ ଉର୍ଦ୍ଧ ଲୋକ ହାପି ମୃତ୍ୟୁର ରହସ ଖୋଲିବା ସହ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଓ ପରିବାର ଲୋକଙ୍କୁ ନ୍ୟାୟ ଦେବାରେ ଆରଡି ଫାଣ୍ଡି ସମ୍ମୁଖରେ ଆନ୍ଦୋଳନ କରିବା ସହ ଏତଲା ଗ୍ରହଣ କରିବା ପାଇଁ ହଟ୍ଟଗୋଳ କରିଥିଲେ। ଶେଷରେ ପୋଲିସ ଏତଲା ରଖି ଗତ ୨୬ରେ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିଲା।