Odiapua.com

ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର କାନ୍ତକବି ଜୟନ୍ତୀ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଟିର ଗର୍ବ ଓ ଗୌରବ, ଜଣେ ନିରବଚ୍ଛିନ୍ନ ସାରସ୍ୱତ ସାଧକ, ଯାହାର କଲମ ମୁନରୁ ଗଦାଗଦା ଗଳ୍ପ, ପ୍ରବନ୍ଧ, ନାଟକ, ଉପନ୍ୟାସ, କାଳଜୟୀ କବିତାର ଅମୃତମୟ ଝର ସୃଷ୍ଟି ହୋଇଥିଲା, ତାହା ଏବେ ବି ସେଇ ଝରର ସ୍ରୋତ ବହି ଚାଲିଛି । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭଦ୍ରକର ରକ୍ତ ଚିପୁଡ଼ା ମାଟିର ଜନ୍ମିତ ସନ୍ତାନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ରାଜ୍ୟ ମାନ୍ୟତାପ୍ରାପ୍ତ ଦେଶାତ୍ମବୋଧକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ରଚନା କରି ଭଦ୍ରକ ମାଟିକୁ ଗୌରବାନ୍ୱିତ କରିଛନ୍ତି ବୋଲି ଅତିଥିବୃନ୍ଦ ମତ ପୋଷଣ କରିଛନ୍ତି । ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ସ୍ଥାୟୀ ସଭାପତି ଆଇନଜୀବୀ ନିରାକାର ଜେନାଙ୍କ ପୌରୋହିତ୍ୟରେ ଚରମ୍ପାସ୍ଥ ସ୍କୁଲରୋଡ଼ ପୂଜା କମିଟି ସଭାଗୃହରେ କାନ୍ତକବି ଜୟନ୍ତୀ ପ୍ରତିବର୍ଷ ଭଳି ଏ ବର୍ଷ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. କ୍ଷୀରୋଦ କୁମାର ସାମଲ, ମୁଖ୍ୟବକ୍ତା ଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟାପକ ନୀହାର ରଂଜନ କର, ସମ୍ମାନନୀୟ ବକ୍ତା ଭାବେ ଶିକ୍ଷାବିତ୍ ଗଗନ ବିହାରୀ ରାଉତ କାନ୍ତକବିଙ୍କ ଆତ୍ମଜୀବନୀ ବର୍ଣ୍ଣନା କରିବା ସଂଗେସଂଗେ ତାଙ୍କର କାଳଜୟୀ ରଚନା ଗୁଡ଼ିକ ଓଡ଼ିଶା ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ ଓ ସମୃଦ୍ଧ କରି ପାରିଛି ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ମହାନ୍ତି, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ପବନ ଶର୍ମା, ଅମର ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ସମ୍ପାଦକ ବାବୁଲାଲ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇନଜୀବୀ କୁଳମଣି ବେହେରା, ପଦ୍ମଲୋଚନ ମହାଳିକ, ଅରୂପାନନ୍ଦ ନାୟକ, ରମେଶ ଦାସ, ଅନ୍ନପୂର୍ଣ୍ଣା ସାହୁ ମଞ୍ଚ ପରିଚାଳନା କରିଥିଲେ । ସୁଶ୍ରୀ ଅନିତା ଯେନା ‘ବନ୍ଦେ ଉତ୍କଳ ଜନନୀ’ ଓ କଳାକାର କାଳନ୍ଦୀ ମଲ୍ଲିକ କରନ୍ତକବିଙ୍କର ଜୀବନୀ ସଂଗୀତ ଗାନ କରିଥିଲେ । ସଭାପତ ତାଙ୍କ ଅଭିଭାଷଣରେ ଫେବୃଆରୀ ମାସ ବାର୍ଷିକ ଉତ୍ସବରେ ମଞ୍ଚର ମୁଖପତ୍ର ‘ଶାନ୍ତିଧାରା’ ଲୋକାର୍ପଣ କରାଯିବ ଏବଂ ଏଥି ନିମନ୍ତେ ଲେଖା ସଂଗ୍ରହ ନିମନ୍ତେ ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।