ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନର ତାଗିଦ ପରେ ଚରମ୍ପା ଷ୍ଟେସନ ରୋଡ ର ବ୍ୟବସାୟୀମାନେ ନିଜ ଦୋକାନ ଘର ଗୁଡିକୁ ନିଜେ ଖୋଲି ପକାଇବାରେ ଲାଗି ପଡିଛନ୍ତି । ପ୍ରଶାସନ ର ଜବରଦଖଲ ଉଚ୍ଛେଦ ପୂର୍ବରୁ ବ୍ୟବସାୟୀମାନେ ଦୋକାନ ସାମଗ୍ରୀ ଗୁଡିକୁ ଖୋଲି ଟ୍ରଲି, ଅଟୋ, ମିନିଟ୍ରକ ଆଦିରେ ନିଜ ଅକ୍ତିଆରକୁ ନେଇ ଯାଉଥିବା ଦେଖ୍ôବାକୁ ମିଳିଛି । ସୂଚନା ଯୋଗ୍ୟ, ଚରମ୍ପା ଅଂଚଳରେ ଏହି ଜବର ଦଖଲ ଉଚ୍ଛେଦକୁ ନେଇ ପ୍ରଶାସନ ତରଫରୁ ତହସିଲ ଓ ପୌର କର୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଜବର ଦଖଲ ମୁକ୍ତ କରିବା ପାଇଁ ପ୍ରଥମେ ମାପଚୁପ କରାଇ ପ୍ରଥମେ ଚିହ୍ନଟ କରାଯାଇଥିଲା । ପରେ ଜବର ଦଖଲ ହଟାଇବା ନେଇ ଡାକବାଜି ଯନ୍ତ୍ର ଯୋଗେ ଅବଗତ କରାଯାଇଥିଲା । ଅନ୍ୟପକ୍ଷରେ ଏହାକୁ ଚରମ୍ପା ଅଂଚଳର କେତେକ ବଡ ବଡ ବ୍ୟବସାୟୀମାନେ ହାଇକୋର୍ଟରେ ମାମଲା ଥିବା ଦର୍ଶାଇ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ପ୍ରଶାସନ ଉଚ୍ଛେଦ ଅଭିଯାନ ବନ୍ଦ ହେବନି ବୋଲି ଜଣାଇଥିଲା । ଗତ ଗୁରବାର ତହସିଲ କର୍ତୃପକ୍ଷ ଚରମ୍ପା ଯାଇ ଜବର ଦଖଲକାରୀଙ୍କୁ ସେମାନେ ନିଜ ଆଡୁ ଅବରୋଧମୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । ଏଠାରେ ପ୍ରକାଶ ଥାଉକି, ଦୀର୍ଘ ବର୍ଷ ଧରି ଚରମ୍ପା ଷ୍ଟେସନ ରୋଡ ର ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜାଗାରେ ବ୍ୟବସାୟୀମାନେ ବ୍ୟବସାୟ ଚଳାଇ ଆସୁଥିଲେ । ଷ୍ଟେସନ ରୋଡକୁ ପ୍ରଶସ୍ତିକରଣ କରିବା ପାଇଁ ଅତୀତରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଉଦ୍ୟମ କରି ବିଫଳ ହୋଇଥିଲା । ସ୍ଥାନୀୟ କେତେକ ବ୍ୟବସାୟୀ ଏହି ଉଚ୍ଛେଦକୁ ନେଇ କୋର୍ଟରେ ଆଶ୍ରୟ ନେଇଥିଲେ । କିନ୍ତୁ ସୁଫଳ ମିଳିଲା ନାହିଁ । ପ୍ରଶାସନ ପକ୍ଷରୁ ଗତ କିଛି ମାସ ଧରି ସହରୀ ରାସ୍ତାକୁ ପ୍ରଶସ୍ତିକରଣ ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢୀକରଣ କରିବା ପାଇଁ କଚେରୀବଜାର, ବନ୍ତଛକ, କଲେଜ ଛକ, ଜଗନ୍ନାଥପୁର, ବାଇପାସ ଛକ, ସରକାର ନଗର ଆଦି ବିଭିନ୍ନ ସ୍ଥାନରେ ସରକାରୀ ଜାଗାକୁ ଅବରୋଧ ମୁକ୍ତ କରାଯାଇଥିଲା । ଏନେଇ ଭଦ୍ରକ ତହସିଲ ସୁପରଭାଇଜର ଜ୍ୟୋତିରଂଜନ ପଣ୍ଡାଙ୍କୁ ପଚାରିବାରୁ ପ୍ରଶାସନର ଉଚ୍ଛେଦ ଘୋଷଣା ପରେ ବ୍ୟବସାୟୀମାନେ ସେମାନଙ୍କ ତରଫରୁ ଅବରୋଧ ମୁକ୍ତ କରିବାକୁ ଆବେଦନ କରି କିଛି ସମୟ ନେଇଛନ୍ତି ବୋଲି କହିଛନ୍ତି ।