Odiapua.com

ଚରମ୍ପା ମହାବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଭାଗର ରାଜ୍ୟସ୍ତରୀୟ ୱେବିନାର

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ୱେବିନାର ଅନୁଷ୍ଠିତ ହୋଇ ଯାଇଛି । କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀ କଲେଜକୁ ଆସୁ ନଥିବା କାରଣରୁ ଏହି ସେମିନାର ଅନ୍‌ଲାଇନ ମାଧ୍ୟମରେ ଆୟୋଜିତ ହୋଇଥିଲା । ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା କଳ୍ପନା ଲେଙ୍କାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ୱେବିନାରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏସେଇଷ୍ଟ ଭାବେ ପଦ୍ମଶ୍ରୀ ସ୍ୱର୍ଣ୍ଣପଦକ ପାଇଥିବା ସିନିଅର ରିଡର ଡକ୍ଟର ହରେଶ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଡଭାଇଜର ପ୍ରଫେସର ଡକ୍ଟର ନିବେଦିତା ଜେନା ସମ୍ମାନିତ ବକ୍ତା ରୂପେ ଯୋଗ ଦେଇଥିଲେ । ଡକ୍ଟର ମିଶ୍ର ‘କ୍ୟାରିଅର କମ୍ପିଟିସନ ଆଣ୍ଡ ମାଇଣ୍ଡ ସେଟ’ ଶୀର୍ଷକ ସନ୍ଦର୍ଭ ବିଷୟରେ ଅଭିଭାଷଣ ରଖି ଆଜିର ପ୍ରତିଦ୍ୱନ୍ଦିତାମୂଳକ ସମାଜରେ ପିଲାମାନେ କିପରି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବେ, ସେ ବିଷୟରେ ଶିକ୍ଷଣୀୟ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ବକ୍ତା ଡ. ଜେନା ‘କ୍ୟାରିଅର କାଉନ୍‌ସେଲିଂ’ ଉପରେ ଅଭିଭାଷଣ ଦେଇ କହିଥିଲେ ଯେ ପିଲାମାନଙ୍କର ମାନସିକତାକୁ ପରାମର୍ଶ ଦ୍ୱାରା ପରିବର୍ତ୍ତନ କରିହେବ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବ୍ରଜକିଶୋର ବଳ ୱେବିନାରରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାଧ୍ୟାପିକା ଶ୍ରୀମତୀ ଲେଙ୍କା ସ୍ୱାଗତ ଭାଷଣ ରଖିଥିଲେ । ବିଭାଗୀୟ ଡେମୋନଷ୍ଟ୍ରେଟର ନିବେଦିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱେବିନାରରେ ବହୁ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ, ଛାତ୍ରଛାତ୍ରୀ ଭାଗ ନେଇ ଏହା ଯୁବପିଢି ପାଇଁ ବହୁ ଉପାଦେୟ ବୋଲି ମତ ପ୍ରକଟ କରିଥିଲେ ।