Odiapua.com

ଚରମ୍ପା ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଲା

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ମହାବିଦ୍ୟାଳୟରେ ଆଜି ଦେଖାଦେଇଛି ଛାତ୍ର ଅଶାନ୍ତି । ମହାବିଦ୍ୟାଳୟ ପରିସରକୁ ଅଣଛାତ୍ର ପ୍ରବେଶ ଓ କଲେଜ ପାଚେରୀ ନିର୍ମାଣ ଭଳି ଦାବି ରଖି ଆଜି ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ସମେତ ସମସ୍ତ ରୁମ୍‌କୁ ଚାବି ପକାଇବା ସହ ମହାବିଦ୍ୟାଳୟ ସମ୍ମୁଖରେ ଯାଇଥିବା ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ । ଖବର ପାଇ ଗ୍ରାମାଞ୍ଚଳ ପୁଲିସ୍ ସେଠାରେ ପହଞ୍ôଚ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ ବି ଛାତ୍ରଛାତ୍ରୀମାନେ ଗତକାଲି କିଛି ଅଣଛାତ୍ର କଲେଜ ପରିସରରେ ପଶି କମେଣ୍ଟ ମରାକୁ ନେଇ ଯେଉଁ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରିଥିଲେ, ସେ ଏବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ଅଣଛାତ୍ରଙ୍କ ଦୌରାତ୍ମ୍ୟକୁ ବିରୋଧ କରିବା ସହ ବିଦ୍ୟାଳୟରେ ସ୍ଥାୟୀ ପ୍ରାଚେରୀ ନିର୍ମାଣ ଭଳି ବହୁ ସମସ୍ୟା ନେଇ ଅଧ୍ୟକ୍ଷଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ପାଇଁ ଅଡି ବସିଥିଲେ । ପରେ ଅଧ୍ୟକ୍ଷ ପିତାମ୍ବର ନାୟକ ସେମାନଙ୍କ ନିକଟରେ ପହଞ୍ôଚ ଛାତ୍ରଛାତ୍ରୀମାନଙ୍କ ଦାବିକୁ ଯୁକ୍ତିଯୁକ୍ତ ବୋଲି ପ୍ରକାଶ କରିବା ସହ ଏହାର ସମାଧାନ ପାଇଁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ । ଏଠାରେ ସୂଚନାଯୋଗ୍ୟ ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମହାବିଦ୍ୟାଳୟ ମଝିରେ ଏକ ରାସ୍ତା ଚଣ୍ଡିଗାଁ, ରାହାଞ୍ଜ ଭଳି ପଞ୍ଚାୟତକୁ ଯାଇଥିବାରୁ ମହାବିଦ୍ୟାଳୟର ପାଚେରୀ ନିର୍ମାଣରେ ପ୍ରତିବନ୍ଧକ ଦେଖାଦେଇଛି । ଯାହାଫଳରେ ଏଠାରେ ଅନେକ ସମୟରେ ଅଣଛାତ୍ରମାନେ ପ୍ରବେଶ କରି ଗଣ୍ଡଗୋଳ କରୁଥିବାର ଜଣାପଡିଛି ।