Odiapua.com

ଚରମ୍ପା ମହାବିଦ୍ୟାଳୟରେ ଏନ୍‌ସିସି ଆର୍ମି ଉଇଙ୍ଗର ଶୁଭାରମ୍ଭ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏନ.ସି.ସି. ୭ମ ବାଟାଲିୟନ ଦ୍ୱାରା ପରିଚାଳିତ ହେଉଥିବା ଏନ.ସି.ସି. ଆର୍ମି ଉଇଙ୍ଗ୍ ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଶୁଭାରମ୍ଭ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବ୍ରଜକିଶୋର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୭ମ ବାଟାଲିୟନ ଏନ.ସି.ସି.ର କମାଣ୍ଡିଂ ଅଫିସର ଲେ. କୋଲ. କାନ୍ତା ସିଂ (ଏସ୍‌ଏମ୍‌) ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ରବିନାରାୟଣ ପଣ୍ଡା, ଗୋପାଲ ଜୀ ସିଂହ, ବୀରେନ୍ଦ୍ର ଗୁରୁଙ୍ଗ୍ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଗଣ ଏକ ବିରାଟ ପଟୁଆରରେ ଯାଇ ଅତିଥିବୃନ୍ଦଙ୍କୁ ସ୍ୱାଗତ ଜଣାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳ ଏବଂ ଚରମ୍ପା ମହାବିଦ୍ୟାଳୟର ଏନ୍‌.ସି.ସି. ଅଫିସର ଅଧ୍ୟାପକ ପ୍ରବୀର କୁମାର ମହାପାତ୍ର ଅତିଥିଙ୍କୁ ସ୍ୱାଗତ କରିଥିଲେ । ମହାବିଦ୍ୟାଳୟର ସଭାଗୃହରେ ଆୟୋଜିତ ଉତ୍ସବକୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହିତ ତାଙ୍କ ବକ୍ତବ୍ୟରେ ଏନ୍‌ସିସିର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଥମେ ରାଜନୀତି ବିଜ୍ଞାନ ସମ୍ମାନ ଶ୍ରେଣୀର ଛାତ୍ରୀମାନେ ଏନ.ସି.ସି. ସଂଗୀତ ଗାନ କରିଥିଲେ । ପ୍ରାଧ୍ୟାପିକା ସଂଯୁକ୍ତା ବୋଷ ଉତ୍ସବକୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ଏନ.ସି.ସି. ଅଫିସର ଅଧ୍ୟାପକ ଶ୍ରୀଯୁକ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଯକ୍ତ ୩ ପ୍ରଥମ ବର୍ଷର ୧୮ଜଣ ଛାତ୍ରଛାତ୍ରୀଙ୍କୁ ଏନ୍‌ସିସି କ୍ୟାଡେଟ୍ ଭାବେ ଚୟନ କରାଯାଇଥିଲା ।