Odiapua.com

ଚରମ୍ପା ବରିଷ୍ଠ ନାଗରିକ ସଂଘ ପକ୍ଷରୁ କାର୍‌ଗିଲ ବିଜୟ ଦିବସ ଓ କାଲାମ୍ ପୂଣ୍ୟତିଥି ପାଳିତ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ବରିଷ୍ଠ ନାଗରିକ ସଂଘ ପକ୍ଷରୁ କାର୍‌ଗିଲ ବିଜୟ ଦିବସ ଓ ଏ.ପି.ଜେ. ଅବ୍‌ଦୁଲ କାଲାମଙ୍କ ପୂଣ୍ୟତିଥି ସ୍କୁଲରୋଡ଼ ପୂଜା ମଣ୍ଡପ ଠାରେ ପାଳନ କରାଯାଇଥିଲା । ସଭାପତି ଗଗନ ବିହାରୀ ରାଉତ ଏଥିରେ ପୌରୋହିତ୍ୟ କରିଥିଲେ । ଯବାନ ମାନେ ଦେଶମାତୃକାର ସେବା ପାଇଁ ନିଜକୁ ବଳିଦାନ ଦେଉଥିବା ବେଳେ ସେମାନଙ୍କ ତ୍ୟାଗ ଓ ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସହିଦ୍ ଯବାନମାନଙ୍କ ଉଦ୍ଦେଶ୍ୟରେ ସମସ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଂଘର ସଦସ୍ୟା ସ୍ୱର୍ଗତା କୁନ୍ତଳା ସାହୁ ଏବଂ ସ୍ୱର୍ଗତ ଦୁର୍ଯ୍ୟୋଧନ ମଲ୍ଳିକଙ୍କ ଦେହାନ୍ତ ଜନିତ ଶୋକ ପ୍ରସ୍ତାବ ଆଗତ କରାଯାଇ ତାଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସଂଘର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ବ୍ୟତୀତ ସଂଘ ପାଇଁ ସରକାରୀ ଗୃହ ପ୍ରଦାନ କିମ୍ବା ବୈଠକ ନିମନ୍ତେ ଏରେଇଁ ପଞ୍ଚାୟତର କଲ୍ୟାଣ ମଣ୍ଡପ କିମ୍ବା ରାଜୀବ ସେବା କେନ୍ଦ୍ର ଗୃହ ଯୋଗାଇ ଦେବାକୁ ଏରେଇଁ ପଞ୍ଚାୟତର ସରପଞ୍ଚ ଏବଂ ଭଦ୍ରକ ବିଡିଓଙ୍କୁ ଅନୁରୋଧ କରିବାକୁ ନିଷ୍ପତି ନିଆ ଯାଇଥିଲା । ଏରେଇଁ ପଞ୍ଚାୟତରେ ଥିବା ସରକାରୀ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ ଏବଂ ରାଘବାନନ୍ଦ ଚକ୍ଷୁ ଚିକିିତ୍ସାଳୟ ପରିସରରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ସିଡିଏମ୍‌ଓ ଓ ଜିଲ୍ଳାପାଳଙ୍କୁ ଅନୁରୋଧ କରାଯାଇଛି । ବରିଷ୍ଠ ନାଗରିକ ମାନଙ୍କ କାର୍ଯ୍ୟାଳୟ ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଭଦ୍ରକ ତହସିଲଦାର ଜମି ଯୋଗାଇ ଦେଲେ ଗୃହ ନିର୍ମାଣ ପାଇଁ ସାଂସଦ ଏବଂ ଭଦ୍ରକ ବିଧାୟକ ଅର୍ଥ ଦେବେ ବୋଲି ଦେଇଥିବା ପ୍ରତିଶୃତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଜମି ଯୋଗାଣ ନିମନ୍ତେ ବାରମ୍ବାର ଦୀର୍ଘ ୩ବର୍ଷ ଧରି ଅନୁରୋଧ କରାଯାଇ ଆସୁଥିଲେ ବି କେବଳ ପ୍ରଶାସନିକ ପ୍ରତିଶୃତି ମିଳିଛି, ଏ ନେଇ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହିତ ଏଥିରେ ସାଂସଦ ଏବଂ ବିଧାୟକଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, ପଦ୍ମଲୋଚନ ମହାଳିକ, ଦୀନବନ୍ଧୁ ମହାରଣା, ରତ୍ନାକର ହାତୀ, ଆନନ୍ଦ ପାଣିଗ୍ରାହୀ, ଜଗବନ୍ଧୁ ମହାନ୍ତି, ରତ୍ନାକର ମଲ୍ଳିକ, ବିଜୟ ସେନାପତି, ଗଣପତି ପାଣିଗ୍ରାହୀ, ସୁରେନ୍ଦ୍ର ମଲ୍ଲିକ, ନରସିଂହ ମିଶ୍ର ପ୍ରମୁଖ ସଦସ୍ୟମାନେ ବିଭିନ୍ନ ସମସ୍ୟା ସମ୍ପର୍କୀତ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ମତାମତ ଦେଇଥିଲେ । ଶେଷରେ ଅଜୟ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।