ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିଠାରୁ ଜିଲାରେ ଆରମ୍ଭ ହୋଇଛି ୧୮ ରୁ ୪୪ ବର୍ଷ ବ୍ୟକ୍ତିବିଶେଷଙ୍କ ପାଇଁ କୋଭିଡ୍ ଟୀକାକରଣ । ଏ ନେଇ ଭଦ୍ରକ ପୌରାଞ୍ଚଳର ୧୦ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ତେବେ ପ୍ରବଳ ଗରମ ଭିତରେ ବିଭିନ୍ନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଲୋକମାନେ ସକାଳ ୯ଟାରୁ ଲମ୍ବା ଲାଇନ୍ରେ ଆସି ପ୍ରବଳ ଖରାରେ ଠିଆ ହୋଇଥିବାର ଦେଖାଯାଇଥିଲା । ପ୍ରଶାସନ ପକ୍ଷରୁ କୌଣସି ସୁବିଧା କରାଯାଇନଥିବାବେଳେ ବାହାରେ ପ୍ରବଳ ଖରାରେ ମାତ୍ର ୩ ଜଣ କର୍ମଚାରୀଙ୍କୁ ନେଇ ଟୀକାକରଣ କରାଯାଇଛି । ଏହି ଟୀକା ଗ୍ରହଣ କେନ୍ଦ୍ରରେ କୌଣସି ପୌରପାଳିକାର କର୍ମଚାରୀଙ୍କର ଦେଖା ନଥିଲା । ଠେଲାପେଲା ମଧ୍ୟରେ ଟୀକାକରଣ କାର୍ଯ୍ୟ ଚାଲିଥିବାବେଳେ ସାମାଜିକ ଦୂରତ୍ୱା ରକ୍ଷା କରିବା ସହିତ କୋଭିଡ୍-୧୯ ର ସମସ୍ତ ନିୟମ ଉଲ୍ଲଂଘନ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଏଥିନେଇ ଆଗକୁ ଯେମିତି ପ୍ରଶାସନ ସତର୍କ ରହି ଲୋକଙ୍କୁ ଟୀକା ଯୋଗାଏ, ସେଥିପ୍ରତି ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି । ତେବେ ଚରମ୍ପା ଅଗ୍ରସେନ କେନ୍ଦ୍ରର ଚିତ୍ର କିନ୍ତୁ ଭିନ୍ନ । ସଂପୂର୍ଣ୍ଣ କରୋନା ଗାଇଡ୍ ଲାଇନ୍ ମାନି ବାତାନୁକୂଳ ପରିବେଶରେ ଚାଲିଛି ଟୀକାକରଣ । ଯାହାକୁ ନେଇ ଟୀକା ନେଉଥିବା ଲୋକମାନଙ୍କ ଭିତରେ ଦେଖିବାକୁ ମିଳିଛି ଖୁସି । ତେବେ ଏହି ଟୀକାକରଣ କେନ୍ଦ୍ରରେ ଭଦ୍ରକ ମାରୱାଡି ଯୁବମଞ୍ଚ ପକ୍ଷରୁ କରାଯାଉଛି ସହଯୋଗ । ସୂଚନା ଦିଆଗଲା କି ଆଜି ୭ ତାରିଖ ସନ୍ଧ୍ୟା ୫ ଟାରେ ପୁଣି ସ୍ଲଟ୍ ବୁକିଂ କରାଇ ଆସନ୍ତାକାଲି ୮ ତାରିଖ ପୁଣି ଟୀକା ଯେଉଁମାନେ ନେଇନାହାଁନ୍ତି ନେଇପାରିବେ । ପ୍ରଥମ କୋଓିନ୍ ଆପରେ ରେଜିଷ୍ଟ୍ରେସନ ଓ ପରେ ସ୍ଲଟ୍ ବୁକିଂ କରି ଟୀକା ନେଇପାରିବେ ।