Odiapua.com

ଚରମ୍ପାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଶୁଭାରମ୍ଭ

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବିତରଣକୁ ବିଧାୟକ ସଂଜୀବ ମଲ୍ଲିକ ଉଦ୍‌ଘାଟନ କରିଛନ୍ତି । ଏଥିନେଇ ଯୁବନେତା ତପନ ଦାସ ଓ ମୁକ୍ତିିକାନ୍ତ ମଲ୍ଲିକଙ୍କ ଆୟୋଜିତ ଉତ୍ସବରେ ପୂର୍ବତନ ସରପଞ୍ଚ ଖଗେଶ୍ୱର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ସମିତି ସଭ୍ୟ ରମେଶ ବେହେରା ମଞ୍ଚ ପରିଚାଳନା କରିଥିଲେ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ଦ୍ୱାରା ଉନ୍ନତମାନର ଚିକିତ୍ସା ସେବା ଗରିବ ବ୍ୟକ୍ତିମାନେ ପାଇପାରିବେ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ସଂଜୀବ ମଲ୍ଲିକ ସୂଚନା ଦେଇଥିଲେ । ଏଥି ସହ ଭଦ୍ରକର ୧୧ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ଦ୍ୱାରା ସ୍ୱାସ୍ଥ୍ୟ ସେବା ପାଇପାରିବେ । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇପାରିବ । ଏଥିରେ ରାଜ୍ୟର ୯୬ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ ଏବଂ ରାଜ୍ୟର ୭୭ ପ୍ରତିଶତ ଲୋକ ଚିକିତ୍ସାର ବୋଝରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ବିଧାୟକ ଶ୍ରୀ ମଲ୍ଲିକ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ବଡ ବଡ ହସ୍‌ପିଟାଲୋର ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ । ଉକ୍ତ ଉତ୍ସବରେ ସ୍ଥାନୀୟ ଅଂଚଳର ବହୁ ଲୋକ ଯୋଗଦେଇ ସ୍ମାର୍ଟ କାର୍ଡ ପାଇବାରେ ସଫଳ ହୋଇଛନ୍ତି । ତେବେ ସଭା ପୂର୍ବରୁ ଯୁବନେତା ରଞ୍ଜନ ଜେନା ଓ ଗୋପୀନାଥ ନାୟକଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ପାଛୋଟି ନେଇ ସଭା ସ୍ଥଳରେ ପହଞ୍ଚାଇଥିଲେ ।