Odiapua.com

ଚରମ୍ପାରେ ଡକାୟତି, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଓ ଅର୍ଥ ଲୁଟ୍

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପା ଧଳସାହିରେ ଗତକାଲି ବିଳମ୍ବିତ ରାତିରେ ଦୃବୁର୍ତମାନେ ଜନୈକ ବ୍ୟବସାୟଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି କରିନେଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଚରମ୍ପା ଧଳସାହିରେ ବ୍ୟବସାୟୀ ସୌମେନ ପଟୁଆରୀଙ୍କ ପରିବାର ଏକ ଭଡାଘରେ ରହୁଥିଲେ । ଗତକାଲି ପୁରୁଷ ଲୋକମାନେ ଘରେ ନଥିବାବେଳେ ପଟୁଆରୀଙ୍କ ପତ୍ନୀ ଓ ତାଙ୍କ କନ୍ୟା ତାଙ୍କ ଘରେ ଶୋଇଥିବାବେଳେ ପାଖ ଘରର ଝରକା ଭାଂଗି ଚୋରମାନେ ଘରେ ପଶିଥିଲେ । ଏବଂ ସେହି ଗୃହରେ ଥିବା ଆଲମାରୀ ଭାଂଗି ସୁନା, ଚାନ୍ଦି ଓ କିଛି ନଗଦ ଟଙ୍କା ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ରାତି ୪ଟା ବେଳକୁ ନିଦ ଭାଙ୍ଗିବାରୁ ପରିବାର ଲୋକେ କବାଟ ବାହାରୁ ବନ୍ଦ ହୋଇଥିବାର ଜାଣିଥିଲେ । ଫଳରେ ତଳେ ଥିବା ଘର ମାଲିକଙ୍କୁ ଡାକି କବାଟ ଖୋଲିବାରୁ ଘରେ ଚୋରି ହୋଇଥିବାର ଜଣାପଡିଥିଲା । ଏହି ଘଟଣାରେ ସହରାଂଚଳ ଥାନା ପୁଲିସ୍ ପକ୍ଷରୁ ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ ତଦନ୍ତ କରୁଥିବାର ଜଣାପଡିଛି । ତେବେ ସହରରେ ପୁଲିସ୍‌କୁ ଚକମା ଦେଖାଇ ବାରମ୍ବାର ଏଭଳି ଚୋରି ହେଉଥିବାର ଜଣାପଡିଛି । ସବୁଠାରୁ ବିସ୍ମୟର କଥା ଖୋଦ୍ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ୱାଗନର କାର୍‌ର ଦୁଇଟି ଚକକୁ ଦୁବୃର୍ତମାନେ ଚୋରି କରିନେବା ଘଟଣା ପୁଲିସ୍‌ର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।