Odiapua.com

ଚରମ୍ପାରେ କାନ୍ତକବି ଜୟନ୍ତୀ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୁଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୪ତମ ଜୟନ୍ତୀ ମଞ୍ଚର ସ୍ଥାୟୀ ସଭାପତି ଆଇନଜୀବୀ ନିରାକାର ଜେନାଙ୍କ ପୌରୋହିତ୍ୟରେ ଚରମ୍ପା ରାମଚନ୍ଦ୍ର ବିହାରୀଲାଲ ହାଇସ୍କୁଲ ପରିସରରେ ପାଳନ ହୋଇ ଯାଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଭଦ୍ରକ ମାଟି ମା’ର ଜଣେ ସୁଯୋଗ୍ୟ ସନ୍ତାନ ଓ ଐଶ୍ୱରିକ ଶକ୍ତି ସମ୍ପନ୍ନ ପ୍ରଚଣ୍ଡ ପ୍ରତିଭାଧାରୀ ସାରସ୍ୱତ ସାଧକ, ଯିଏ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ସଂଗେ ସଂଗେ ନିଜକୁ ସାହିତ୍ୟ ଜଗତରେ ଚିର ଅମର କରିଯାଇଛନ୍ତି ବୋଲି ବକ୍ତାମାନେ ମତ ରଖିଥିଲେ। ପ୍ରଧାନ ଅତିଥି ପ୍ରାଧ୍ୟାପକ ଡ. ନୀରୋଦ କୁମାର ସାମଲ ପ୍ରଦୀପ ଜାଳି ମଞ୍ଚ ଉଦ୍‌ଘାଟନ କରିବା ସଂଗେ ସଂଗେ କାନ୍ତକବି ଗଳ୍ପ, ଉପନ୍ୟାସ, କବିତା ଆଦି ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଆକାଶବାଣୀ ଗୀତିକାର ପୀତାମ୍ବର ମିଶ୍ର, ମୁଖ୍ୟବକ୍ତା ପ୍ରାଧ୍ୟାପକ ଡ. ଅଜୟ କୁମାର ମଲ୍ଲିକ, ତ୍ୟାଗଭୂୂମିର ପ୍ରତିଷ୍ଠାତା ସଭାପତି ଅଜୟ ନାୟକ କାନ୍ତକବି ଳକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଶେଷ ଜୀବନ ବ୍ୟାଧୀଗ୍ରସ୍ତ ଯନ୍ତ୍ରଣାରେ ଛଟପଟ ହୋଇ କଟିଥିଲେ ମଧ୍ୟ ସେ ସାହିତ୍ୟକୁ ଛାଡ଼ି ନଥିଲେ, ଯାହା ସାହିତ୍ୟପ୍ରତି ତାଙ୍କର ଅନୁରକ୍ତିର ପ୍ରମାଣ ବହନ କରେ ବୋଲି କହିଥିଲେ। କାର୍ଯ୍ୟକାରୀ ସମ୍ପାଦକ ବାବୁଲାଲ ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ମଙ୍ଗଳାଚରଣ ପାଠ କରିଥିଲେ। ସମ୍ପାଦକ ଉମାକାନ୍ତ ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିବା ବେଳେ ଶ୍ରୀମତୀ ଭାରତୀ ପଲେଇ କାନ୍ତକବିଙ୍କ ରଚିତ ଓଡ଼ିଶା ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଓଡ଼ିଶା ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଇ.ସି.ଆର୍‌, ର ଛାତ୍ରୀମାନେ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ ଦେବାରେ ସହଯୋଗ କରିଥିବା ବେଳେ ସମ୍ବର୍ଦ୍ଧିତ ପ୍ରତିଭା ନିରଞ୍ଜନ ସେନାପତି ଓ ବଳରାମ ଦାଶଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ କଲ୍ଲୋଳ ଲେଙ୍କା ଓ ପ୍ରଦୀପ ବେହେରା। ମଞ୍ଚ ପରିଚାଳନା କରିଥଲେ ରାଣୀତାଲ ସାହିତ୍ୟ ପରିଷଦର ସମ୍ପାଦକ ତପନ କୁମାର ପଣ୍ଡା, ଆଇନଜୀବୀ ତୁଷାରକାନ୍ତି ମହାନ୍ତି, ଜଗବନ୍ଧୁ ବାରିକ୍‌, ଉପସଭାପତି ଶରତଚନ୍ଦ୍ର ମହାନ୍ତି, ବିଶ୍ୱନାଥ ଅଗ୍ରୱାଲ, ସଂଗ୍ରାମ ଦାସ, ସୀତାରାମ ସିଂ, ଅନ୍ନପୂର୍ଣ୍ଣା ନାୟକ। ଧନ୍ୟବାଦ ଦେଇଥିଲେ କଲ୍ଲୋଳ ଲେଙ୍କା।