Odiapua.com

ଚରଦିଆ ସମବାୟ ସମିତି ସଂପାଦିକାଙ୍କ ଚଂଚକତା, ଜିଆଖତ ଲୋନ କରାଇ ଦେଇ ଚାଷୀଙ୍କ ଖାତାରୁ ୨.୪ଲକ୍ଷ ଟଙ୍କା ହଡପ

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ସେବା ସମବାୟ ସମିତିରେ ୧୪ଜଣ ଚାଷୀଙ୍କ ଖାତାରୁ ସଂପାଦିକା ଲୋନ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହି ଲୋନ ଅର୍ଥକୁ ଫେରାଇବା ସହ ସଂପୃକ୍ତା ସଂପାଦିକାଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ଚାଷୀ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରାପ୍ତ ଖବର ଅନୁଯାୟୀ ଚରଦିଆ ସମବାୟ ସମିତି ର ସଂପାଦିକା ଏହି ସମିତି ଅଧିନରେ ଥିବା ଶୈଳେନ୍ଦ୍ରପଲ୍ଲୀ ର ପିଜୁସ ରାଏ, କୃତିବାସ ବୈଦ୍ୟ,ଶ୍ରୀଧର ମଣ୍ଡଳ, ମଞ୍ଜୁଲତା ଜେନା, ଶ୍ରୀମନ୍ତ ଜୀତ, ତାପସ ମଣ୍ଡଳ,ସଦାନନ୍ଦ ମଣ୍ଡଳ, ବିମଳ ମଣ୍ଡଳ, ବିରେନ ସାହୁ, ମାଧୁରୀ ଧାଢା, ସୁଶାନ୍ତ ଜୀତ ଏବଂ ବାଂଛାନିଧିପୁର ଗ୍ରାମର ପ୍ରତାପ ସିଂ, ପ୍ରଦ୍ୱୀପ କରଣ, ପ୍ରଦ୍ୱୀପ ଭୂୟାଁ ଏହିପରି ୧୪ ଜଣ ଚାଷୀଙ୍କୁ ଜିଆ ଖତ ଲୋନ ସମବାୟ ସମିତି ସେମାନଙ୍କୁ ଦେବ ବୋଲି କହିଥିଲେ । ଏଥିସହ ସଂପୃକ୍ତ ଚାଷୀ ମାନଙ୍କ ଘରକୁ ଯାଇ ଜିଆଖତ ବିଷୟରେ ବୁଝାଇବା ସହ ଲୋନ ପାଇଁ ଆବଶ୍ୟକୀୟ କାଗଜପତ୍ର ସହ ସେମାନଙ୍କ ଠାରୁ ନିଜ ନିଜର ଦସ୍ତଖତ ସମ୍ବଳିତ ଚେକ ମଧ୍ୟ ଆଣିଥିଲେ । ସମସ୍ତ ଦସ୍ତାବିଜ ଆଣିବା ପରେ ସଂପୃକ୍ତା ସଂପାଦିକା ଜିଆଖତ ଲୋନ ତୁମ ମାନଙ୍କର ଆପ୍ରୁଭାଲ ହୋଇଯାଇଛି ବୋଲି କହିଥିଲେ । ଏଥିସହ ସମବାୟ ସମିତିର ସଂପାଦିକା ପ୍ରତି ଚାଷୀଙ୍କ ଖାତାରୁ ୧୪ହଜାର ଟଙ୍କା ଲେଖାଏ ୨ଲକ୍ଷ ୩୮ହଜାର ଟଙ୍କା ଉଠାଇ ନେଇଥିଲେ ।

ଚାଷୀ ମାନେ ଅଭିଯୋଗ କରିବାରୁ ସଂପାଦିକା ଏକ ଦଲାଲକୁ ଧରି ୧୪ଜଣ ଚାଷୀଙ୍କ ଘରକୁ ୪୦ଟି ନନ୍ଦ ପଠାଇଦେଇଥିଲେ ।ଦୀର୍ଘ ୧ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଚାଷୀ ସମବାୟ ସମିତିକୁ ଜିଆଖତ ଲୋନ ଟଙ୍କା ପାଇଁ ଦଉଡି ଦଉଡି ନୟାନ୍ତ ହୋଇଥିଲେ । ଆଜି ନୁହେଁ କାଲି ଆସ ବୋଲି କହି ସଂପାଦିକା ଦିନ ପରେ ଦିନ ଗଡାଇ ଗଡାଇ ଚାଲିଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ସଂପୃକ୍ତ ଚାଷୀମାନେ ଏହି ଟଙ୍କା ପାଇବା ପାଇଁ ଚାନ୍ଦବାଲି ସମବାୟ ବ୍ୟାଙ୍କ ଶାଖାରେ ଶାଖା ପ୍ରବନ୍ଧକଙ୍କ ପାଖରେ ଲିଖିତ ଅଭିଯୋଗ କରିବା ସହ ଏହାର ନକଲ ଗୁଡିକୁ ମୁଖ୍ୟମନ୍ତ୍ରୀ ,୫ଟି ସଚିବ ,ସମବାୟ ମନ୍ତ୍ରୀ ଏବଂ ସଂପାଦକ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ଜିଲ୍ଲା ସମବାୟ ବ୍ୟାଙ୍କ ଅଧିକାରୀଙ୍କ ନିକଟକୁ ପଠାଇ ଦେଇଛନ୍ତି ।ସଂପୃକ୍ତ ସଂପାଦିକା କେଉଁ ପରିସ୍ଥିତିରେ ୧୪ଜଣ ଚାଷୀଙ୍କ ଖାତାରୁ ଚଂଚକତା କରି ୨.୩୮ଲକ୍ଷ ଟଙ୍କା ହଡପ କଲେ ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ୧୪ଜଣ ଚାଷୀ ଅଡି ବସିଛନ୍ତି । ଏହି ଚଂଚକତା ବାବଦରେ ଚାନ୍ଦବାଲି ଠାରେ ଥିବା ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଗୁରୁପ୍ରସାଦ ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଲିଖିତ ଅଭିଯୋଗ ପାଇଛନ୍ତି ଏବଂ ଏ ବିଷୟରେ ସେ ବାଲେଶ୍ୱର ବ୍ୟାଙ୍କ ସଂପାଦକଙ୍କ ସହ ଯୋଗାଯୋଗ କରିଛନ୍ତି । ଆଗାମୀ ଦିନରେ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ସଂପୃକ୍ତ ସମବାୟ ସମିତି ସଂପାଦିକାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଥିଲେ ।