Odiapua.com

ଚମ୍ପାଗଡରେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ଅଭିଯୋଗ

ନୟାଗଡ ୩୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ୩୭ ଗୋଟି ଗ୍ରାମପଞ୍ଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। କରୋନା କଟକଣା ଭିତରେ ନିର୍ବାଚନ କରିବାକୁ ନିର୍ବାଚନ କମିଶନର ଆଚରଣ ବିଧି ଲାଗୁ କରିଛନ୍ତି। ପ୍ରତ୍ୟେକ ପ୍ରାର୍ଥୀ ରାଜନୈତିକ ନିର୍ବାଚନ ଶୋଭାଯାତ୍ରା କରିବା ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ରଣପୁର ବ୍ଲକର ବହୁ ଗ୍ରାମ ପଞ୍ଚାୟତରେ ଶହ ଶହ ଲୋକଙ୍କୁ ନେଇ ବିନା ତୁଣ୍ଡିରେ ନିର୍ବାଚନୀ ଶୋଭାଯାତ୍ରା ହେଉଥିବା ଦେଖିବାକୁ ମିଳୁଛି। ସେଭଳି ଏକ ଶୋଭାଯାତ୍ରାକୁ ନେଇ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ହୋଇଥିବା ଜଣାପଡିଛି। ଶାସକ ଦଳ ସମର୍ଥୀତ ୨୪ ନଂ ଚାନ୍ଦପୁର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଦଳବେହେରା, ସରପଞ୍ଚ ପ୍ରାର୍ଥୀ ପିୟୁଶ ରଞ୍ଜନ ପରିଡା ଓ ସମିତିସଭ୍ୟ ପ୍ରାର୍ଥୀ ସୀତାରାମ ମାନସିଂଙ୍କର ଶହ ଶହ ଲୋକଙ୍କୁ ନେଇ ଏକ ବିରାଟ ନିର୍ବାଚନୀ ଶୋଭାଯାତ୍ରା ହୋଇଯାଇଥିବା ଅଭିଯୋଗ ହୋଇଛି। ଶୋଭାଯାତ୍ରା ବେଣ୍ଟ ଗ୍ରାମ, କଟକ ସହର ଓ ଚମ୍ପାଗଡ ପରିକ୍ରମା କରିଥିଲା।

ଅଭିଯୋଗ ପାଇ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଓ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଚମ୍ପାଗଡ ଗ୍ରାମପଞ୍ଚାୟତରେ ପହଂଚିଥିଲେ। ସେତେବେଳକୁ ଶୋଭାଯାତ୍ରା ଶେଷ ହୋଇ ଶୋଭାଯାତ୍ରାରେ ଭାଗନେଇଥିବା ଲୋକମାନେ ୧୬ ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ପଛପଟେ ଭୋଜନ ପାଇଁ ଏକଜୁଟ୍ ହୋଇଥିଲେ। ଉପ ଜିଲ୍ଲାପାଳ ଓ ପୋଲିସ ଦେଖି ଶୋଭାଯାତ୍ରାକାରୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ଏ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଶୋଭାଯାତ୍ରା ଚାଲୁଥିବା ଖବର ପାଇ ଚାନ୍ଦପୁର ପୋଲିସ କୁ ସାଙ୍ଗରେ ନେଇ ଯାଇଥିଲୁ। କିନ୍ତୁ ଶୋଭାଯାତ୍ରା ଆମ୍ଭ ଦୃଷ୍ଟି ଗୋଚର ହୋଇନଥିଲା। କିଛି ଲୋକ ଏକାଠି ଥିବା ଯୋଗୁଁ ସେମାନଙ୍କୁ ଘଉଡାଇଥିଲୁ। ବିରୋଧି ଦଳ ଆଚରଣ ବିଧି ଉଲଂଘନ କରି ଶୋଭାଯାତ୍ରା କରୁଥିବା ଅଭିଯୋଗ ଆଣିଥିଲେ ମଧ୍ୟ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସଙ୍କ ସୂଚନା ଅନୁଯାଇ ଖବର ଲେଖାହେଲା ପର୍ଯ୍ୟନ୍ତ ଥାନାରେ କାହା ତରଫରୁ ଲିଖିତ ଅଭିଯୋଗ ହୋଇନାହିଁ। ଅପରପକ୍ଷେ ରଣପୁର ୩୭ ଗୋଟି ଗ୍ରାମ ପଞ୍ଚାୟତରେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀ ମାନେ ଆଚରଣ ବିଧି ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି।