Odiapua.com

ଚମକ ଦେଖାଇ ପାରିଲେନି ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ସୁଶିଳା : ୭୬ବର୍ଷ ବୟସରେ ଅତୀତକୁ ନେଇ ଏବେ ମଧ୍ୟ ଖୁସୀ

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଶିଳା ମିଶ୍ର(ଦିକ୍ଷୀତ୍‌) । ୫୦ ଦଶକର ଏକ ପ୍ରତିଭାସମ୍ପନ୍ନା କ୍ରୀଡ଼ାବିତ୍ । ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଜାତୀୟସ୍ତରରେ ଉଚ୍ଚ ଡ଼ିଆଁ ପ୍ରତିଯୋଗିତାରେ ବେଶ ନାମ କମାଇଥିଲେ । କିନ୍ତୁ ବେଶୀ ଉଚ୍ଚକୁ ଡିଆଁ ମାରି ପାରିନଥିଲେ । ରକ୍ଷଣଶୀଳ ପାରିବାରିକ ପୃଷ୍ଠଭୂମୀ, ତାଲିମ ଠାରୁ ଆରମ୍ଭ କରି ବିଭିନ୍ନସ୍ତରରେ ସରକାରୀ ପ୍ରୋତ୍ସାହନର ଅଭାବ ତାଙ୍କ ସ୍ୱପ୍ନରେ ପ୍ରତିବନ୍ଧକ ସାଜିଥିଲା । ମହାବିଦ୍ୟାଳୟରେ ପାଦ ଦେଉ ଦେଉ ତାଙ୍କର ସମସ୍ତ ପ୍ରତିଭା କେବଳ କେଇଖଣ୍ଡ ପ୍ରମାଣପତ୍ରରେ ସିମୀତ ହୋଇ ରହିଯାଇଥିଲା । ଏବେ ୭୬ବର୍ଷ ବୟସରେ ନିଜର ବିଦ୍ୟାଳୟ ଜୀବନର ସେହି ଦିନଗୁଡ଼ିକ ଅଭୂଲା ସ୍ମୃତି ହୋଇ ତାଙ୍କ ମାନସପଟ୍ଟରେ ରହିଯାଇଛି । ଆଉ ନିଜ ଭିତରେ ରହି ଯାଇଥିବା ଅବଶୋଷ ଆଉ କେଉଁ ପ୍ରତିଭାଙ୍କ କ୍ଷେତ୍ରରେ ନଘଟୁ ବୋଲି ସୁଶିଳା ମତବ୍ୟକ୍ତ କରିଛନ୍ତି । ୧୯୪୪ ମସିହାରେ ବାଲେଶ୍ୱର ଆଇଟିଆଇ ଛକ ନିକଟସ୍ଥ କରଂଜ ଗ୍ରାମର ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ସୁଶିଳାଙ୍କ ଜନ୍ମ । ବାଲେଶ୍ୱର ମିଶନ ହାଇସ୍କୁଲରେ ସେ ପାଠପଢ଼ା ଆରମ୍ଭ କରିଥିଲେ । ପିଲାଦିନେ ସେ ଅତି ଚଗଲା ଥିଲେ ବୋଲି ନିଜେ ସୁଶିଳା କୁହନ୍ତି । ୪ର୍ଥ ଶ୍ରେଣୀରେ ପାଠ ପଢ଼ିବା ସମୟରେ ବିଦ୍ୟାଳୟରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବରେ ହଠାତ୍ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ମାତ୍ର ୩ଫୁଟ ୮ଇଞ୍ଚ ଉଚ୍ଚତାର ସୁଶିଳା ତାଙ୍କ ଉଚ୍ଚତାରୁ ଅଧିକ ଡ଼େଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୌଡ଼, ଲମ୍ବ ଡ଼ିଆଁରେ ମଧ୍ୟ ତାଙ୍କ ପ୍ରତିଭା ସାମ୍ନାକୁ ଆସିଥିଲା । ସେସମସୟରେ ବିଦ୍ୟାଳୟର ଶାରିରୀକ ଶିକ୍ଷୟତ୍ରୀ କୁଞ୍ଜବାସିନୀ ନାୟକ ତାଙ୍କୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ସେହି ବର୍ଷ କଟକ ସନସାଇନ ପଡ଼ିଆରେ ବିଦ୍ୟାଳୟସ୍ତରୀୟ ରାଜ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଏଥିରେ ସେ ୪ଫୁଟ ୧ଇଞ୍ଚ ଉଚ୍ଚତା ଅତିକ୍ରମ କରି ଏକ ନୂତନ ରେକର୍ଡ଼ ପ୍ରତିଷ୍ଠା କରିଥିଲେ । ଏହି କାରଣରୁ ୧୯୫୬ ମସିହାରେ କୋଲକତା ଇଡେନଗାର୍ଡ଼ନ ଠାରେ ଅନୁଷ୍ଠିତ ଜାତୀୟ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ସୁଶିଳା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଥିଲେ । ତେବେ ତାଙ୍କ ଶାରିରୀକ ଉଚ୍ଚତା ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କ ସମ୍ମୁଖରେ ଫିକା ପଡ଼ି ଯାଇଥିଲା । ସେ କୌଣସି ପଦକର ଅଧିକାରୀ ହୋଇ ପାରିନଥିଲେ । ଏକାଦଶ ଶ୍ରେଣୀ ପଢ଼ିବା ମଧ୍ୟରେ ବାଙ୍ଗାଲୁରୁ ଓ କଟକରେ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସୁଶିଳା ପୁଣି ରାଜ୍ୟରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । ଫକୀରମୋହନ ମହାବିଦ୍ୟାଳୟରେ ଆଇଏସସି ଓ ପରେ ପ୍ରିୟୁ ପଢ଼ିବା ସମୟରେ ୧୯୬୨ରେ ତାଙ୍କର ବିବାହ ହୋଇଯାଇଥିଲା ଭଦ୍ରକ ମଠସାହି ଗ୍ରାମର ସତ୍ୟାନନ୍ଦ ମିଶ୍ରଙ୍କ ସହିତ । ଏଥି ସହିତ ଏକ ସମ୍ଭବନାମୟ କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତର ଅନ୍ତ ଘଟିଥିଲା ।

 

 

ସୁଶିଳାଙ୍କ ଏହି ପ୍ରତିଭା ଓ କୃତିତ୍ୱ ପାଇଁ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ଭୈରବ ଚନ୍ଦ୍ର ମହାନ୍ତି, ପ୍ରଦୀପ ମହାରଥୀ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ଆସିଛନ୍ତି । ନିଜର କ୍ରୀଡ଼ା ଜୀବନ ବହୁ ଉତ୍‌ଥାନ ପତନ ମଧ୍ୟରେ ଗତି କରିଥିଲା ବୋଲି କହନ୍ତି ସୁଶିଳା । ମିଶନ ସ୍କୁଲର କ୍ରୀଡ଼ା ଶିକ୍ଷୟତ୍ରୀଙ୍କୁ ଛାଡ଼ିଦେଲେ ଆଉ କାହାରି ପାଖରୁ ତାଙ୍କୁ ପ୍ରୋତ୍ସାହନ ମିଳିନଥିଲା । ପ୍ରଥମ ଥର କୋଲକତାରେ ଜାତୀୟସ୍ତରର ପ୍ରତିଯୋଗିତାକୁ ଯିବା ସମୟରେ ଓଡିଶାର ପ୍ରତିଯୋଗୀଙ୍କ ନିକଟରେ ଜୋତା ଦୂରର କଥା ଭଲ ପୋଷାକ ପିନ୍ଧିବାକୁ ନଥିଲା । ରେଭେନ୍‌ସା ବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତେବାସୀଙ୍କ ପୋଷାକ ପିନ୍ଧି ସେମାନେ ଇଡେନ ଗାର୍ଡ଼େନରେ ଖେଳିଥିଲେ । ନା ସେମାନଙ୍କୁ ମିଳୁଥିଲା ଉପଯୁକ୍ତ ତାଲିମ ନା ମିଳୁଥିଲା କୌଣସି ସହାୟତା । ସେହିପରି ଘରେ ବାପା ମାୟାଧର ଦିକ୍ଷୀତ କିଛି ପରିମାଣରେ ସୁଶିଳାଙ୍କୁ ସମର୍ଥନ କରୁଥିଲେ ଏହି ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ଅନ୍ୟମାନେ ତାଙ୍କ ଖେଳକୁ ତୀବ୍ର ବିରୋଧ କରୁଥିଲେ । ତେଣୁ ଘର ଲୋକଙ୍କ ଅଜ୍ଞାତସାରରେ ନିଜ ବିଦ୍ୟାଳୟରେ ସୁଶିଳା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିଲେ । ଏଥିରେ ପାଉଥିବା ପ୍ରମାଣପତ୍ରକୁ ଲୁଚାଇ ରଖୁଥିଲେ । ଜାତୀୟସ୍ତରକୁ ପ୍ରତିନିଧିତ୍ୱ କରିବା ସମୟରେ ଘରେ ବିଶୃଙ୍ଖଳା ସୃଷ୍ଟି ହେଉଥିଲା । ବିବାହ ସମୟରେ କାଳେ କୌଣସି ସମସ୍ୟା ସୃଷ୍ଟି ହେବ ଭାବି ଘର ଲୋକମାନେ ତାଙ୍କ ଖେଳିବାକୁ ପସନ୍ଦ କରୁନଥିଲେ । ତେବେ ୧୯୬୨ ମସିହାରେ ତାଙ୍କର ବିବାହ ପରେ ସେ ଏକ ଘରୋଇ ବିଦ୍ୟାଳୟରେ ୮ବର୍ଷ ଶିକ୍ଷକତା କରିଥିଲେ । ତେବେ ଜଣେ ସଫଳ ଜାତୀୟସ୍ତରର କ୍ରୀଡ଼ାବିତ୍‌ଙ୍କ ପାଇଁ ସରକାର ପ୍ରଦାନ କରୁଥିବା ଭତ୍ତା ରାଶୀ ପାଇଁ ସୁଶିଳାଙ୍କୁ ବେଶ କସରତ କରିବାକୁ ପଡ଼ିଥିଲା । କାରଣ ସେ ସମୟରେ ଓଡିଶା ଆଥଲେଟିକ୍ ଆସୋସିଏସନ ସମସ୍ତ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜକ ଥିଲା । କିନ୍ତୁ ୧୯୬୧ ମସିହାରେ ଏହି ଆସୋସିଏସନ ସହ ଓଡ଼ିଶା ଅଲମ୍ପିକ୍ ଆସୋସିଏସନର ମିଶ୍ରଣ ହେଲା । ତେଣୁ ଅଲମ୍ପିକ ଆସୋସିଏସନ ନିକଟରେ ସୁଶିଳାଙ୍କ ଅତୀତର କୃତିତ୍ୱ ସମ୍ପର୍କରେ କୌଣସି ତଥ୍ୟ ନଥିଲା । ତେବେ ୧୯୫୭ ମସିହାରେ ରାଜ୍ୟ ଆଥଲେଟିକ୍ ମିଟ୍‌ରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ହୁଏତ ସେ ଜାତୀୟ ସ୍ତରରେ ଖେଳିଥାଇପାରନ୍ତି ବୋଲି ୧୯୮୯ ମସିହାରେ ତତ୍କାଳୀନ ଅଲମ୍ପିକ ଆସୋସିଏସନର ସମ୍ପାଦକ ଆର୍ଶୀବାଦ ବେହେରା ଲିଖିତ ଭାବେ ତାଙ୍କ ନାମ ସୁପାରିଶ କରିଥିଲେ । କିନ୍ତୁ ସୁଶିଳାଙ୍କ ନିକଟରେ ଥିବା ପ୍ରତିନିଧିତ୍ୱର ପ୍ରମାଣପତ୍ର ଓ ଶ୍ରୀ ବେହେରାଙ୍କ ଏହି ସୁପାରିଶପତ୍ର ଅନୁଯାୟୀ ଏବେ ତାଙ୍କୁ ମିଳୁଛି ମାସିକ ୩ହଜାର ଟଙ୍କାର ଭତ୍ତା । ସମ୍ଭବତଃ ତାଙ୍କ ପୁତ୍ର ତପନ କୁମାର ମିଶ୍ରଙ୍କ ଉପରେ ମା’ଙ୍କ ପ୍ରଭାବ ରହିଥିଲା । ଯାହା ଫଳରେ ସେ ବିଭିନ୍ନ ସ୍ତରରେ ନିଜକୁ ଜଣେ ସଫଳ କ୍ରୀଡ଼ାବିତ୍ ସାବ୍ୟସ୍ତ କରି ଏବେ ବାଗୁରାଇ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ । ତେବେ ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହିତ କରିବାରେ ପରିବାର ଓ ସରକାର କାର୍ପଣ୍ୟତା ପ୍ରକାଶ କରିବା ଉଚିତ ନୁହେଁ ବରଂ ସେମାନଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମୀ ଯୋଗାଇ ଦେବା ଉଚିତ ବୋଲି କୁହନ୍ତି ସୁଶିଳା ।