Odiapua.com

ଚନ୍ଦ୍ରଯାନ-୨ ଚନ୍ଦ୍ରର ନିର୍ଦ୍ଧାରିତ କକ୍ଷରେ ପ୍ରବେଶ କରିଛି : ଇସ୍ରୋ ଅଧ୍ୟକ୍ଷ

ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ: ଡ. କେ ଶିବନ

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି। ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା। ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. କେ ଶିବନ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷରେ ପହଁଚିବା ପରେ ସେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି।

ଡ. ଶିବନ କହିଥିଲେ ଯେ ଇସ୍ରୋର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଚନ୍ଦ୍ରଯାନ-୨କୁ ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା। ଚନ୍ଦ୍ରପୃଷ୍ଠର ଦକ୍ଷିଣ ଗୋଲାର୍ଦ୍ଧରେ ଚନ୍ଦ୍ରଯାନ-୨ର ସହଜ ଅବତରଣ ହେବ। ଡ. ଶିବନ ଆହୁରି କହିଥିଲେ ଯେ ଚନ୍ଦ୍ରଯାନ-୨ର ପରବର୍ତ୍ତୀ ପ୍ରମୁଖ ଗତିବିଧି ସେପ୍ଟେମ୍ବର ୨ ତାରିଖରେ ସମ୍ପନ୍ନ ହେବ। ଏହି ସମୟରେ ଚନ୍ଦ୍ରର କକ୍ଷରେ ପରିକ୍ରମା କରୁଥିବା ଅର୍ବିଟର ଠାରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିବା ଲ୍ୟାଣ୍ଡର ପୃଥକ ହେବ। ଇସ୍ରୋ ଅଧ୍ୟକ୍ଷ କହିଥିଲେ ଯେ ଇସ୍ରୋ ଏହି ଅବତରଣ ଅଭିଯାନକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ରହିଛି। ଇସ୍ରୋ ପକ୍ଷରୁ ସହଜ ଲ୍ୟାଣ୍ଡିଂ ପାଇଁ ଯଥେଷ୍ଟ ଅଭ୍ୟାସ କରାଯାଇଛି। ଚନ୍ଦ୍ରଯାନ-୨ ୪ଟି ଅନ୍ୟ ସ୍ଥିତି ପରିବର୍ତ୍ତନ କରିବ। ପ୍ରଥମ ସ୍ଥିତି ପରିବର୍ତ୍ତନ ଆସନ୍ତାକାଲି ହେବ। ଏହାପରେ ଅନ୍ୟ ସ୍ଥିତି ପରିବର୍ତ୍ତନ ୨୮ ଅଗଷ୍ଟ, ୩୦ ଅଗଷ୍ଟ ଏବଂ ସେପ୍ଟେମ୍ବର ୧ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ ଚନ୍ଦ୍ରଯାନ-୧ ପରେ ଇସ୍ରୋର ଏହା ହେଉଛି ଦ୍ୱିତୀୟ ଚନ୍ଦ୍ର ଅଭିଯାନ। ଚନ୍ଦ୍ରଯାନ-୨କୁ ଗତ ଜୁଲାଇ ୨୨ ତାରିଖରେ ଶ୍ରୀହରିକୋଟା ଠାରୁ ଉତକ୍ଷେପଣ କରାଯାଇଥିଲା। ଏହି ଯାନ ସହିତ ଗୋଟିଏ ଅର୍ବିଟର (ପରିକ୍ରମା ଯାନ) ‘ବିକ୍ରମ’ ଲ୍ୟାଣ୍ଡର (ଅବତରଣ ଯାନ) ଏବଂ ‘ପ୍ରଜ୍ଞାନ’ ରୋଭର (ମାନବବିହୀନ ମହାକାଶଯାନ) ଚନ୍ଦ୍ର ଅଭିମୁଖେ ଯାଇଥିଲା।