Odiapua.com

ଚନ୍ଦ୍ରଭାଗୋତ୍ସବରେ ଚିତ୍ରକର୍ମଶାଳା ପାଇଁ ପ୍ରସ୍ତୁତି

ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ବ୍ୟାସକବି ଫକୀରମୋହନଙ୍କ ଜନ୍ମପୀଠ ଶାନ୍ତିକାନନ ପରିସରରେ ‘ୟଙ୍ଗ୍ ହାର୍ଟସ୍‌’ ଚିତ୍ରାନୁଷ୍ଠାନ ପକ୍ଷରୁ ଚିତ୍ରଶିଳ୍ପୀ ମରୁତ ରାଉତଙ୍କ ଆବାହକତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଭିଡ଼୍‌୧୯ ନିୟମକୁ ମାନି କେତେଜଣ ଶୁଭେଚ୍ଛୁ ଶିଳ୍ପୀବନ୍ଧୁଙ୍କ ଉପସ୍ଥିତିରେ ଆଗାମୀ ୩୧ତମ ଚନ୍ଦ୍ରଭାଗୋତ୍ସବରେ ତିନିଦିନ ଧରି ଚିତ୍ରକଳାର କର୍ମଶାଳା ଓ ଆଲୋଚନା ଚକ୍ର ଆୟୋଜନ ପାଇଁ ସ୍ଥିର କରାଯାଇଛି। ଏଥିରେ ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କୁ ଚଳିତବର୍ଷ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାରୁ ଅନୁଷ୍ଠାନର ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଚିତ୍ରକର୍ମଶାଳା ଉପଲକ୍ଷେ ଯୋଗଦେଇଥିବା ଚିତ୍ରଶିଳ୍ପୀ ଅରୁଣ କୁମାର ଜେନା, ଶିଳ୍ପୀ ପ୍ରିତମ୍‌, କୁମାରୀ କଲ୍ଲୋଳ ଦତ୍ତ, ସ୍ଲୋଗାନ୍ ବାରିକ୍ ଓ ଅଶୋକ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି କର୍ମଶାଳାର ଆଭିମୁଖ୍ୟ ତଥା କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ଆସନ୍ତା ଡିସେମ୍ବର ୩୧ ଓ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖ ପର୍ଯ୍ୟନ୍ତ ଗାନ୍ଧୀସ୍ମୃତି ଭବନ, ବାଲେଶ୍ୱର ପରିସର ମଧ୍ୟରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଚିତ୍ରାନୁରାଗୀ ଛାତ୍ରଛାତ୍ରୀ ତଥା ଚିତ୍ରଶିଳ୍ପୀମାନଙ୍କ ସହଯୋଗ କାମନା କରାଯାଇଥିଲା।